ଚୀନ୍‌ ଅର୍ଥନୀତି ବୁଡ଼ିଯାଉଥିବା ଜାହଜ

ଭେନେଜୁଏଲା ଭଳି ଭୁଶୁଡ଼ି ପଡ଼ିବ ସରକାରୀ ନୀତି ନେଇ ବ୍ୟବସାୟୀ ଅତିଷ୍ଠ

ନୂଆଦିଲ୍ଲୀ: ଚୀନର ବ୍ୟବସାୟୀମାନେ ସରକାରଙ୍କ ନୀତିକୁ ନେଇ ତୀବ୍ର ଅସନ୍ତୋଷ ଥିବା ଜଣାପଡ଼ିଛି। ‌ସେଠାକାର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦେଶର ସବୁ କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ତାଙ୍କର ସେହି ନୀତି ବ୍ୟବସାୟୀ ମହଲରେ ଅସନ୍ତୋଷ ବାତାବରଣ ସୃଷ୍ଟି କରିଛି। ଅନେକ ବ୍ୟବସାୟୀ ଓ ଉଦ୍ୟୋଗୀ ଦେଶ ଛାଡ଼ି ଚାଲିଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଧନୀ ଲୋକ ଆଉ କେବେ ବି ଚୀନ୍‌ ଫେରିବାକୁ ଚାହୁଁନାହାନ୍ତି।
ନିକଟରେ ଚେନ୍ ଟିୟାନ୍‌ୟଙ୍ଗ୍‌ ନାମକ ଜଣେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଚୀନ୍‌ ଛାଡ଼ି ୟୁରୋପ ଚାଲିଯାଇଛନ୍ତି। ସେ ଏକ ୨୮ ପୃଷ୍ଠାର ନିବନ୍ଧ ଲେଖି ଚୀନ୍‌ ଅର୍ଥନୀତିର ସ୍ଥିତି ବର୍ଣ୍ଣନା କରିବାକୁ ପ୍ରୟାସ କରିଛନ୍ତି। ଚିୟାନ୍‌ୟାଙ୍ଗ୍‌ ଲେଖିଛନ୍ତି ଯେ, ଚୀନ୍‌ ହେଉଛି ଏକ ବହୁତ ବଡ଼ ଜାହଜ ଯାହା ବୁଡ଼ିବାକୁ ଯାଉଛି। ଯଦି କୌଣସି ଢାଞ୍ଚାଗତ ସୁଧାର କରାନଯିବ ତେବେ ଜାହଜ ନିଶ୍ଚିତ ବୁଡ଼ିବ ଏବଂ ସେଥିରେ ଥିବା ସବୁ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ବୋଲି ସେ ଲେଖିଛନ୍ତି। ଯେତେ ଶୀଘ୍ର ପାରୁଛ ଚୀନ୍‌ ଛାଡ଼ି ଚାଲିଯାଅ ବୋଲି ସେ ନିଜ ବ୍ୟବସାୟୀ ବନ୍ଧୁମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ନିବନ୍ଧ ଇଣ୍ଟରନେଟ୍‌ରେ କିଛି ସମୟ ରହିବା ପରେ ସମ୍ପୂର୍ଣ୍ଣ ଉଭାନ୍ ହୋଇଯାଇଛି।
ଚୀନ୍‌ରେ ରହି ସେଠାକାର ସରକାରଙ୍କ ବିଷୟରେ କିଛି କହିବା ମୃତ୍ୟୁକୁ ଡାକିବା ସହ ସମାନ। ସେଥିପାଇଁ ଏହି ବ୍ୟବସାୟୀ ଜଣକ ୟୁରୋପ ପଳାଇବା ପରେ ଏହି ନିବନ୍ଧ ଲେଖିଛନ୍ତି।ଚୀନ୍‌ର ଭବିଷ୍ୟତକୁ ଅନେକ ବିଶେଷଜ୍ଞ ଭେନେଜୁଏଲା ସହ ତୁଳନା କରୁଛନ୍ତି। ଭେନେଜୁଏଲାରେ ଘୋର ଆର୍ଥିକ ସଙ୍କଟ ଲାଗି ରହିଛି ଏବଂ ଲୋକମାନେ ଖାଇବାପିଇବାକୁ ପାଉନଥିବାରୁ ଦେଶ ଛାଡ଼ି ଚାଲିଯାଉଛନ୍ତି। କିଛି ବର୍ଷ ପୂର୍ବରୁ ଭେନେଜୁଏଲା ସରକାର ଦେଶର ସବୁ କ୍ଷେତ୍ରକୁ ନିଜ ନିୟନ୍ତ୍ରଣକୁ ନେଇଆସିଥିଲେ କିନ୍ତୁ ଠିକ୍ ଭାବେ ଅର୍ଥନୀତିକୁ ସମ୍ଭାଳିପାରିନଥିଲେ। ସେଥିପାଇଁ ଭେନେଜୁଏଲା ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଚୀନ୍‌ ମଧ୍ୟ ସେଭଳି ଦଶା ଭୋଗିପାରେ ବୋଲି ଅନୁମାନ କରାଯାଉଛି। ଏହାର କାରଣ ହେଉଛି ଶାସକ ସି ଜିନ୍‌ପିଙ୍ଗ୍‌ଙ୍କ କଠୋର ନୀତି। ଚୀନ୍‌ ସରକାର ଏବେ ସରକାରୀ କଂପାନିଗୁଡ଼ିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଠାକାର ଅର୍ଥନୀତି ଘରୋଇ କ୍ଷେତ୍ର ଦ୍ବାରା ଆଗକୁ ବଢ଼ୁଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି। ସେଥିପାଇଁ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର