ଆତ୍ମନିର୍ଭରଶୀଳ ପଥରେ ଜେକେ କାଗଜକଳ, ଚୀନ୍ ବିନା ଚାହିଦା ମେଣ୍ଟାଇବାକୁ ସକ୍ଷମ

ବାର୍ଷିକ ଉତ୍ପାଦନ କ୍ଷମତା ୪ଲକ୍ଷ ୫୫ ହଜାର ଟନ୍‌କୁ ବୃଦ୍ଧି, ୨୫ଦେଶକୁ ଯୋଗାଉଛି ଉତ୍ପାଦନର ୧୦% କାଗଜ

ରାୟଗଡ଼ା: ଚୀନ୍ ବିନା ଭାରତରେ କାଗଜର ଆବଶ୍ୟକତା ମେଣ୍ଟାଇବାକୁ ପ୍ରସ୍ତୁତ ହେଉଛି ଜେକେ କାଗଜ କଳ। ଭାରତୀୟ ବଜାରକୁ ଆବଶ୍ୟକତାର ୩୨ପ୍ରତିଶତ କାଗଜ ଜେକେ କାଗଜ କଳ ଯୋଗାଉଥିବା ବେଳେ ଆଗାମୀ ଦିନରେ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଚୀନ୍ କାଗଜ ତୁଳନାରେ ଭାରତରେ ପ୍ରସ୍ତୁତ ତଥା ଜେକେର କାଗଜ ଉନ୍ନତମାନର ହୋଇଥିବାରୁ ମାର୍କେଟରେ ଚାହିଦା ବୃଦ୍ଧି ପାଉଥିବା କହିଛନ୍ତି ଜେକେ କର୍ତ୍ତୃପକ୍ଷ। ଚୀନ୍ ସହ ଭାରତର ତିକ୍ତତା ବଢ଼ୁଥିବାରୁ ଭାରତକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ବଦେଶୀ ସାମଗ୍ରୀର ଉତ୍ପାଦନ ଓ ବ୍ୟବହାର ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ପରେ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଛି ଏହି ଜାତୀୟସ୍ତରର କଂପାନି। ଏହି ଲକ୍ଷ୍ୟରେ ଜେକେ ପେ‌ପର ଲିମିଟେଡ୍ ଆଗେଇ ଚାଲିଛି। ଓଡ଼ିଶାର ଜେକେପୁର, ଗୁଜରାଟର ସୋନଗଡ଼ ପରେ ତେଲେଙ୍ଗାନାର ସିରିପୁର କାଗଜ ନଗରରେ ଜେକେ ନୂଆ କଂପାନି ପ୍ରତିଷ୍ଠା କରିବାକୁ ଯାଉଛି। ରାୟଗଡ଼ା ଜେକେପୁର ୟୁନିଟରୁ ବାର୍ଷିକ ୩ ଲକ୍ଷ ୨୦ ହଜାର ଟନ୍, ଗୁଜରାଟ ସୋନଗଡ଼ ୟୁନିଟରୁ ବାର୍ଷିକ ୧ଲକ୍ଷ ୩୫ ହଜାର ଟନ୍ ଏପରି ଭାବେ ବାର୍ଷିକ ୪ ଲକ୍ଷ ୫୫ ହଜାର ଟନ୍ ଉତ୍ପାଦନ କ୍ଷମତା ରଖିଛି ଜେକେ କାଗଜ କଳ। ଭାରତୀୟ ବଜାରରେ ଜେକେ ପେପର କୋପିଏର୍ କାଗଜରେ ୨୪ ପ୍ରତିଶତ ଏବଂ ମାପଲିଥୋରେ ୮ପ୍ରତିଶତ ଚାହିଦା ମେଣ୍ଟାଉଛି। ଏଥି ସହିତ ଉତ୍ପାଦନର ୧୦ପ୍ରତିଶତ କାଗଜକୁ ଆମେରିକା, ଇରାନ, ତୁର୍କୀ, ୟୁକେ, ଶ୍ରୀଲଙ୍କା, ଚୀନ ଭଳି ୨୫ଟି ଦେଶକୁ ରପ୍ତାନି କରୁଛି।

ଉତ୍ପାଦନ ପରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇକୁ ପଠାଇବା ପରେ ଭାରତୀୟ ବଜାରକୁ ଏଜେନ୍ସି ମାଧ୍ୟମରେ ପହଞ୍ଚୁଛି କାଗଜ। ସେହିପରି ବିଶାଖାପାଟଣା ବନ୍ଦରରୁ ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ହେଉଛି। ସାରା ବିଶ୍ବରେ ଜେକେ କାଗଜ କଳର କୋପିଏର, ମାପଲିଥୋ, ଆର୍ଟ ପେପର, ଜେକେ ବଣ୍ଡ, ଜେକେ ଏକ୍ସେଲ ବଣ୍ଡ, କପ ଷ୍ଟକ ପେପର, ୱାକ୍ସ ମାକ୍ସ ପେପର, ଫାର୍ମା ପିଟିଜି ପେପର, ଷ୍ଟ୍ରୋବ ପେପର ଏବଂ ଡିଭିନେ ପେପରର ଚାହିଦା ରହିଛି। ୫୮ଜିଏସଏମରୁ ୩୦୦ ଜିଏସଏମ୍ ପର୍ଯ୍ୟନ୍ତ ପେପର ପ୍ରସ୍ତୁତ କରୁଥିବା ଜେକେ ବଜାର ଚାହିଦାକୁ ଆଖି ଆଗରେ ରଖି ତେଲେଙ୍ଗାନାର ସିରିପୁରରେ ନୂଆ ୟୁନିଟ୍ ଆରମ୍ଭ କରିବାକୁ ଯାଉଛି। ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ଉତ୍ପାଦନ ଆରମ୍ଭ ହୋଇପାରିନି। ଆସୋଚାମ୍‌ର ସର୍ଭେ ଅନୁଯାୟୀ ଭାରତରେ ବାର୍ଷିକ ମୁଣ୍ଡ ପିଛା ୧୩ କେଜି ଏବଂ ଅନ୍ତଜାର୍ତୀୟସ୍ତରରେ ମୁଣ୍ଡ ପିଛା ୫୭ କେଜି କାଗଜର ଆବଶ୍ୟକତା ରହିଛି। ଭାରତରେ ବାର୍ଷିକ ୧୪.୪ ମିଲିୟନ ଟନ୍‌ ପେପରର ଆବଶ୍ୟକତା ରହିଥିବା ବେଳେ ଦେଶରେ ଥିବା ୬୦୦ରୁ ଊର୍ଦ୍ଧ୍ବ କାଗଜ କଂପାନି ୨୫ ମିଲିୟନ୍ ଟନ୍ କାଗଜ ଉତ୍ପାଦନ କରୁଛନ୍ତି। ୧୫ମିଲିୟନ ଟନ୍‌ରୁ ଊର୍ଦ୍ଧ୍ବ ପେପର ଭାରତରୁ ବାହାର ଦେଶକୁ ରପ୍ତାନି ହେଉଛି। ତେବେ ଭାରତୀୟ ବଜାରକୁ ଚୀନ୍ ନିମ୍ନମାନର କାଗଜ ପଠାଇ କମ୍‌ ଦରରେ ବିକ୍ରି କରିବା ସହ ଅଧିକ ମାର୍କେଟ୍ ସେୟାର ରଖିବାକୁ ପ୍ରୟାସ କରି ଆସୁଥିଲା। ବର୍ତ୍ତମାନ ଚୀନ୍ ଉତ୍ପାଦନ ସାମଗ୍ରୀକୁ ଭାରତ ଆମଦାନି ନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତୀୟ କାଗଜ କଂପାନିର ଚାହିଦା ବଢ଼ିବାକୁ ଯାଉଛି।

ସୂଚନାଯୋଗ୍ୟ, ୧୯୬୨ ମସିହାରେ ଜେକେ ଗ୍ରୁପ୍ ପକ୍ଷରୁ ରାୟଗଡ଼ାରେ ପ୍ରଥମ କାଗଜ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ବାର୍ଷିକ ୧୮ହଜାର ଟନ୍‌ ଉତ୍ପାଦନ କ୍ଷମତା ରଖିଥିବା କଂପାନି ପର୍ଯ୍ୟାୟକ୍ରମେ କ୍ଷମତା ବୃଦ୍ଧି କରି ଏବେ କେବଳ ରାୟଗଡ଼ା ୟୁନିଟରୁ ବାର୍ଷିକ ୩ଲକ୍ଷ ୨୦ ହଜାର ଟନ୍‌ କାଗଜ ଉତ୍ପାଦନ କରୁଛି। ତେଲେଙ୍ଗାନା ସିରିପୁର କାଗଜ ନଗର ୟୁନିଟ୍ କାର୍ଯ୍ୟକ୍ଷମ ପରେ ଭାରତୀୟ ବଜାରରେ ସେୟାର ବଢ଼ିବା ସହ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର