ମୁଦ୍ରାନୀତି ବୈଠକ ଉପରେ ସମସ୍ତଙ୍କ ନଜର, ମୋରୋଟୋରିଅମ୍‌କୁ ନେଇ ହୋଇପାରେ ନିଷ୍ପତ୍ତି

କିଛି କ୍ଷେତ୍ରର ଋଣ ପୁନର୍ଗଠନ ହୋଇପାରେ

ମୁମ୍ବାଇ: କରୋନା ସଙ୍କଟରୁ ଗୁରୁତର ଭାବେ କ୍ଷତିଗ୍ରସତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାର ଜୋରସୋର ଉଦ୍ୟମ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ କେଉଁ ଧରଣର ପଦକ୍ଷେପ ଗ୍ରହଣ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ। ଅନେକ କ୍ଷେତ୍ର ଋଣ ପୂନର୍ଗଠନ କରିବାକୁ ଦାବି କରୁଥିବା ବେଳେ ଋଣ ‌ଉପରେ ଦିଆଯାଇଥିବା ମୋରାଟୋରିଅମ୍ ସୁବିଧାର ଅବଧି ଆଉ ଆଗକୁ ବଢ଼ିବ ନା ନାହିଁ ତାହାର ଉତ୍ତର ଏହି ‌ବୈଠକରୁ ମିଳିବ। ତେବେ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କହହିଛନ୍ତି, ଏବେ ଅଭିବୃଦ୍ଧି ବିଷୟରେ ଅଧିକ ଚିନ୍ତା ନକରି ମୁଦ୍ରାସ୍ପୀତିର ମୁକାବିଲା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତାଙ୍କ ମନ୍ତବ୍ୟକୁ ଏମ୍‌ପିସି କେତେ ଗୁରୁତ୍ବ ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ବର୍ତ୍ତମାନ ସମସ୍ତଙ୍କ ମନରେ ଥିବା ସବୁଠୁ ବଡ଼ ପ୍ରଶ୍ନ ହେଉଛି ରିଜର୍ଭ ବ୍ୟାଙ୍କ ପୁଣି ଥରେ ଏହାର ସୁଧ ହାର କମ୍ କରିବ ନା ନାହିଁ। ଏହି ପ୍ରସଙ୍ଗକୁ ନେଇ ବିଶେଷଜ୍ଞଙ୍କ ମହଲ ଦୁଇ ଭାଗ ହୋଇଛି।

ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆକଳନ କରାଯାଇଛି ଯେ ରିଜର୍ଭ ବ୍ୟାଙ୍କ ଏଥର ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିପାରେ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ରିଜର୍ଭ ବ୍ୟାଙ୍କର ଏକ ବଡ଼ ଦାୟିତ୍ବ। ମାତ୍ର ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ମାଛ, ମାଂସ, ଡାଲି ଆଦିର ଦାମ୍ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଉପଭୋକ୍ତା ମୂଲ୍ୟ ସୂଚୀ ୬.୦୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଏହି ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ଭିତରେ ରଖିବା ଲାଗି ଉଦ୍ୟମ କରିବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିଥିଲେ। ବର୍ତ୍ତମାନ ତାହା ବେଲଗାମ ହୋଇଥିବାରୁ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ଆଉ ହ୍ରାସ କରିବ ନାହିଁ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ଚଳିତ ମାସ ୪ରୁ ଏମ୍‌ପିସିର ତିନି ଦିନିଆ ବୈଠକ ଆରମ୍ଭ ହେବ ଓ ୬ରେ ଏହାର ନିଷ୍ପତ୍ତି ଘୋଷଣା କରାଯିବ। ବର୍ତ୍ତମାନ ପରିସ୍ଥିତିରେ ଋଣ ପୁନର୍ଗଠନ କରିବା ଲାଗି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଗୋଟିଏ ସୁଯୋଗ ଦେବା ଦରକାର ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଡିଜି ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ଏମ୍ଏସ୍‌ଏମ୍ଇଗୁଡ଼ିକ ଲାଗି ଘୋଷଣା କରାଯାଇଥିବା କ୍ରେଡିଟ୍‌ ଗ୍ୟ‌ାରେଣ୍ଟି ସ୍କିମ୍‌ ଭଲ ପ୍ରଦର୍ଶନ କରିଥିବାରୁ ଅନ୍ୟ କ୍ଷେତ୍ରଗୁଡ଼ିକ ଲାଗି ସେଭଳି ସ୍କିମ୍ ଆଣିବା ଲାଗି ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର