ପାକିସ୍ତାନରେ ଲିଟର ପିଛା ୯ ଟଙ୍କା କମିଲା ପେଟ୍ରୋଲ ମୂଲ୍ୟ

ଲାହୋର: ପାକିସ୍ତାନର ଶାହବାଜ ସରିଫ ସରକାର ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛନ୍ତି। ଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯ ଟଙ୍କା ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦାର ଏହି ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରାଯାଇଛି। ଏହି ହ୍ରାସ ପରେ ପେଟ୍ରୋଲ ଲିଟର ପିଛା ୨୬୨ ଟଙ୍କା ବଦଳରେ ୨୫୩ ଟଙ୍କା ହେବ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୬୦ ଟଙ୍କା ୫୦ ପଇସା ବଦଳରେ ଲିଟର ପିଛା ୨୫୩ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି | ଆଜିଠାରୁ ଏହି ନୂତନ ମୂଲ୍ୟ ଲାଗୁ ହେବ | ସେହିପରି ପାକିସ୍ତାନ ଅର୍ଥ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମିଥିଲେ ବି କିରୋସିନ ଏବଂ ହାଲୁକା ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ |

ବର୍ତ୍ତମାନ କିରୋସିନ ଲିଟର ପିଛା ୨୩୦ ଟଙ୍କା ୨୬ ପଇସାରେ ବିକ୍ରି ହେଉଥିବାବେଳେ ହାଲୁକା ଡିଜେଲ ଲିଟର ପିଛା ୨୨୬.୧୫ ଟଙ୍କାରେ ବିକ୍ରି ହେଉଛି। ସୂଚନାଯୋଗ୍ୟ ଯେ ଏହି ନୂତନ ମୂଲ୍ୟ ଜୁଲାଇ ୧୬ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ଏହାପୂର୍ବରୁ ଜୁଲାଇ ୧ ରେ ମଧ୍ୟ ଲୋକଙ୍କୁ ଆରାମ ପ୍ରଦାନ କରି ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮ ଟଙ୍କା ହ୍ରାସ କରିଥିଲେ। ପେଟ୍ରୋଲିୟମ ଉତ୍ପାଦ ଉପରେ ଟିକସ ସମ୍ପର୍କରେ ସୂଚନା ଦେଇ ଇଶାକ ଦାର କହିଛନ୍ତି ଯେ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର କୌଣସି ଅତିରିକ୍ତ ଟିକସ ଲାଗୁ କରିନାହାଁନ୍ତି। ଏହାପୂର୍ବରୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ଚାପରେ ପାକିସ୍ତାନ ପେଟ୍ରୋଲିୟମ ଉତ୍ପାଦ ଉପରେ ଲିଟର ପିଛା ୫୫ ଟଙ୍କା ଟିକସ ଲାଗୁ କରିଥିଲା। ଏହା ପରେ ଦେଶରେ ପେଟ୍ରୋଲର ମୂଲ୍ୟ ୨୭୦ ଟଙ୍କାରେ ପହଞ୍ଚିଯାଇଥିଲା ।

ସମ୍ବନ୍ଧିତ ଖବର