ରେସ୍ତୋରାଁରେ ଖାଇବା ପରେ ହୃଦଘାତର ଅଭିନୟ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସ୍ପେନର ବ୍ଲାଙ୍କୋ ଅଞ୍ଚଳର ଜଣେ ଗ୍ରାହକଙ୍କୁ ରେସ୍ତୋରାଁରେ ହୃଦଘାତର ଅଭିନୟ କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ପୁଲିସ ଉକ୍ତ ଗ୍ରାହକଙ୍କୁ ଗିରଫ କରି ନେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗିରଫ ବ୍ୟକ୍ତି ଜଣକ ବିଭିନ୍ନ ରେସ୍ତୋରାଁରେ ବୁଲିବୁଲି ଖାଇଥାଆନ୍ତି। ଏପରି ଭାବେ ସେ ୨୦ରୁ ଅଧିକ ରେସ୍ତୋରାଁ ବୁଲି ସାରିଛନ୍ତି।  ଗିରଫ ବ୍ୟକ୍ତି ଜଣକ ଖାଇବା ପାଇଁ ଭଲଭଲ ରେସ୍ତୋରାଁକୁ ଯାଇଥାଆନ୍ତି। ସେଠାରେ ଖାଇ ସାରିବା ପରେ ୱେଟର ଯେତେବେଳେ ବିଲ ନେଇ ଆସନ୍ତି ସେ ସେହି ସମୟରେ ହୃଦଘାତର ଅଭିନୟ କରିଥାଆନ୍ତି।

ହୋଟେଲ କର୍ମଚାରୀମାନେ ଉକ୍ତ ଗ୍ରାହକଙ୍କ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ନେଇ ଯାଇଥାଆନ୍ତି। ଆଉ ତାଙ୍କ ବିଲ ଛାଡ଼ କରି ଦେଇଥାଆନ୍ତି। ଗତମାସରେ କିନ୍ତୁ ଗ୍ରାହକଙ୍କ ହୃଦଘାତ ଅଭିନୟ କାମ କରି ନଥିଲା। ସେ ଏଭଳି ଅଭିନୟ କରୁଥିବା ବେଳେ ଧରାପଡ଼ି ଯାଇଥିଲେ।

ଗତ ମାସରେ ଯେତେବେଳେ ଜଣେ ହୋଟେଲ କର୍ମଚାରୀ ୩୭ ଡଲାର ବିଲ ଉପସ୍ଥାପନ କରିଥିଲେ ସେତେବେଳେ ଉକ୍ତ ଗ୍ରାହକଙ୍କ କାରନାମା ଧରାପଡି ଯାଇଥିଲା।

ଏହି ଘଟଣାକୁ ନେଇ ରେସ୍ତୋରାଁ ପରିଚାଳ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ନାଟକୀୟ ଥିଲା, ଗ୍ରାହକ ଖାଇ ସାରିବା ପରେ ହୃଦଘାତ ହୋଇଛି କହି ତଳେ ପଡ଼ି ଯାଇଥିଲେ। ଆଉ ରେସ୍ତୋରାଁ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଡାକିବାକୁ କହିଥିଲେ, କିନ୍ତୁ ରେସ୍ତୋରାଁ କର୍ମଚାରୀ ଆମ୍ବୁଲାନ୍ସ ବଦଳରେ ପୁଲିସକୁ ସୂଚନା ଦେଇ ଦେଇଥିଲେ।

ପୁଲିସ ପହଞ୍ଚିବା ପରେ ଆଲିକାଣ୍ଟେରେ ଥିବା ରେସ୍ତୋରାଁରୁ ଗ୍ରାହକ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ଗିରଫ ପରେ ଉକ୍ତ ଠକ ଗ୍ର‌ାହକଙ୍କ ଫଟୋକୁ ସମସ୍ତ ରେସ୍ତୋରାଁରେ ମାରି ଦିଆଯାଇଛି। ‌ଯେମିତି ପୁର୍ନବାର ଏହି ଠକ ଆଉ କୌଣସି ରେସ୍ତୋରାଁ କର୍ମଚାରୀଙ୍କୁ ଠକି ପାରିବ ନାହିଁ।

ସମ୍ବନ୍ଧିତ ଖବର