ମହିଳାମଣ୍ଡଳ କର୍ମକର୍ତ୍ତାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ

ବାଲିପାଟଣା : ସ୍ଥାନୀୟ ମଧୁବନ ଛକ ପୂର୍ବରୁ ଗାରେଡ଼ିପାଞ୍ଚଣ ରାସ୍ତାର ଠିକ୍‌ ଦଶ ହାତ ଆଗରେ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏକ ରାହାଜାନୀ ହୋଇଛି। ପମ୍ପାଲୋ ପଞ୍ଚାୟତ ଫକୀରପଡ଼ା ଭୋଇସାହିର ତ୍ରିନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଲିଲି ଭୋଇ ଓ ସଂପାଦିକା ଡଲି ସାମଲଙ୍କଠାରୁ ଏହି ଲୁଟ୍‌ ହୋଇଛି। ବାଲିପାଟଣା ଷ୍ଟେଟ୍‌ ବ୍ୟାଙ୍କରୁ ଲକ୍ଷେ ଟଙ୍କାର ଋଣ ଉଠାଇ ସେମାନେ ଚାଲିଚାଲି ଆସୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ହାତରୁ ଲକ୍ଷେ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। କିନ୍ତୁ ଲୁଟେରା କିମ୍ବା ଲୁଟ୍‌ ଟଙ୍କାର ସନ୍ଧାନ ପାଇ ପାରିନାହିଁ।

ସଂପାଦିକା ଡଲି ସାମଲଙ୍କ କହିବା ମୁତାବକ ତାଙ୍କ ମଣ୍ଡଳର ୧୦ଜଣ ସଭ୍ୟା ବାଲିପାଟଣା ଷ୍ଟେଟ୍‌ବ୍ୟାଙ୍କରୁ ଲକ୍ଷେ ଟଙ୍କାର ଋଣ ନେଇଥିଲେ। ଆଜି ସେହି ଲକ୍ଷେ ଟଙ୍କା ଉଠାଇବା ପାଇଁ ସଭାପତି ଓ ସଂପାଦକ ଦୁହେଁ ବାଲିପାଟଣା ଷ୍ଟେଟ୍‌ବ୍ୟାଙ୍କକୁ ଆସିଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଦୁହେଁ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ପର୍ସରେ ରଖି ଗୋଟିଏ କପଡ଼ା ବ୍ୟାଗରେ ଧରି ସେ ଦୁହେଁ ବ୍ୟାଙ୍କରୁ ବହାରିଥିଲେ। କୌଣସି ଗାଡ଼ିମଟର କି ବାଇକ୍‌ ନଥିବାରୁ ଦୁହେଁ ଚାଲିଚାଲି ଗାଁକୁ ଫେରୁଥିଲେ। ଏହି ସମୟରେ ବ୍ୟାଙ୍କ ଭିତରୁ ବାହାର ଯାଏଁ ଜଣେ ଲୋକ ତାଙ୍କୁ ପିଛା କରୁଥିବା କଥା ସେମାନେ କହିଛନ୍ତି। ବାଲିପାଟଣା ଛକ ସ୍କୁଲପାଖ ଚିକେନ୍‌ କାଉଣ୍ଟର୍‌ ଆଗରେ ଆଉ ଜଣେ ମଧ୍ୟବୟସ୍କ ବ୍ୟକ୍ତି ତାଙ୍କୁ ବାଇକ୍‌ରେ ଯିବା ପାଇଁ ଡାକିଥିଲେ। କିନ୍ତୁ ଉଭୟ ମନା କରିଦେଇଥିଲେ। ଗାରେଡ଼ିପାଞ୍ଚଣ ପୂର୍ବରୁ ଲିପ୍ଟ ଦେବାକୁ ଡାକୁଥିବା ସେହି ବ୍ୟକ୍ତି ଜଣକ ଠିଆ ହୋଇ କହା ସଙ୍ଗେ ମୋବାଇଲରେ କଥାବର୍ତ୍ତା ହେଉଥିବାର ଦୁହେଁ ଦେଖିଥିଲେ।

ସେଠାରୁ ସେମାନେ ଦଶହାତ ଯାଇଛନ୍ତି କି ନାହିଁ ଏକ କଳା ବାଇକ୍‌ରେ ୨ଜଣ ଯୁବକ ହଠାତ୍‌ ତାଙ୍କ ପାଖରେ ପହଞ୍ଚି ବ୍ୟାଗଟିକୁ ଝାମ୍ପି ନେଇ ଭୁବନେଶ୍ୱର ଅଭିମୁଖେ ଚମ୍ପଟ ମାରିଥିଲେ। ବ୍ୟାଙ୍କ ଭିତରେ ତାଙ୍କୁ ପିଛା କରୁଥିବା ଲୋକଟି ଲୁଟେରା ବୋଲି ସଂପାଦିକା କହିଛନ୍ତି। ଟଙ୍କା ବ୍ୟାଗଟି ଲୁଟ ହେବାପରେ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ।ବାଲିପାଟଣା ପୁଲିସ୍‌ ଓ ଗାରେଡ଼ିପାଞ୍ଚଣ ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଖବର ପାଇ ସେଠାରେ ପହଞ୍ଚିଥିଲେ। ପୁଲିସ୍‌ ଉଭୟ ମହିଳାଙ୍କୁ ନେଇ ବ୍ୟାଙ୍କର ସିସି ଟିଭି ଯାଞ୍ଚ କରିଛି। ତାଙ୍କୁ ପିଛା କରି ଲୁଟ୍‌ କରିଥିବା ଲୁଟେରାର ଫଟୋକୁ ସିସିଟିଭିରୁ ମହିଳାଦ୍ୱୟ ଚିହ୍ନି ପୁଲିସ୍‌କୁ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର