ଶିଶୁ ଚୋରି ମାମଲା: ନର୍ସଙ୍କ ଭୂମିକା ସନ୍ଦେହରେ, ଚୋରି ଉପରେ ସିନାଜୋରି!

ବଲାଙ୍ଗୀର: କଥାରେ ଅଛି, ଏକ୍‌ ତୋ ଚୋରି.. ଉପର୍‌ସେ ସିନାଜୋରି। ଏହି କଥାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲର ନର୍ସମାନଙ୍କ କାରନାମା ଦେଖିଲେ ପ୍ରାସଂଗିକ ମନେ ହେଉଛି। ଶୁକ୍ରବାର ଦିନ ନର୍ସମାନେ ସମସ୍ତ ପ୍ରକ୍ରିୟାକୁ ଘଣ୍ଟ ଘୋଡ଼ାଇ କୌଣସି ଯାଞ୍ଚ ନକରି ସୁଶୀଳ ସ୍ୱାଇଁଙ୍କ ନବଜାତ ଶିଶୁପୁତ୍ରକୁ ଅନ୍ୟ ଜଣକୁ ଟେକି ଦେଇଥିଲେ। ନିଜ ଶିଶୁକନ୍ୟା ବଦଳରେ ଅନ୍ୟର ଶିଶୁପତ୍ର ପାଇ ଅଭିଯୁକ୍ତ ପରିବାର ମଧ୍ୟ ଲୋଭରେ ଛୁଆ ଧରି ଫେରାର୍‌ ମାରିଥିଲେ। କିଛି ସମୟ ପରେ ସୁଶୀଳ ନିଜ ଛୁଆର ହାଲ୍‌ଚାଲ୍‌ ବୁଝିବାକୁ ଆସିଥିବା ବେଳେ ତମେ କୌଣସି ଛୁଆ ଏଠି ଭର୍ତ୍ତି କରିନାହଁ ବୋଲି ନର୍ସମାନେ କହିଥିଲେ। ଯଦି ଭର୍ତ୍ତି କରିଛ, ତା’ହେଲେ କାଗଜପତ୍ର ଦେଖାଅ ବୋଲି ଓଲଟା ସୁଶୀଳଙ୍କ ଉପରେ ଚଢ଼ିଥିଲେ। ନିରୁପାୟ  ସୁଶୀଳ ଓ ପରିଜନ ଛାନିଆଁ ହୋଇ ଛୁଆକୁ ମେଡିକାଲର କୋଣ କୋଣରେ ଖୋଜି ହତାଶ ହୋଇଥିଲେ। ଛୁଆକୁ ନପାଇ ପୁଣି ଏସ୍‌ଏନ୍‌ସିୟୁ ନର୍ସମାନଙ୍କ ପାଖକୁ ଆସି ପଚାରିବାରୁ, ତମ ଛୁଆକୁ ତମେ ନେଇ ସାରିଛ, ଏବେ ଆମକୁ କ’ଣ ପଚାରୁଛ ବୋଲି ନର୍ସମାନେ ସିନାଜୋରି ଦେଖାଇଥିଲେ। କୌଣସି ରାସ୍ତା ନପାଇ ସୁଶୀଳ ଶେଷରେ ପୁଲିସ୍‌ ଦ୍ୱାରସ୍ଥ ହୋଇଥିଲେ।

ପୁଲିସ ଆସିବା ପରେ ମେଡିକାଲରୁ ଶିଶୁପୁତ୍ର ଚୋରି ହୋଇଥିବା ଜଣାପଡ଼ିଥିଲା। ନର୍ସମାନଙ୍କ ଅବହେଳା ଯୋଗୁଁ ଶିଶୁପୁତ୍ର ଚୋରି ହୋଇଥିବା ବେଳେ ସେମାନଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ସୁରକ୍ଷା ଓ ଶିଶୁ ଚିହ୍ନଟ ପ୍ରକ୍ରିୟାରେ ଅବହେଳା ହୋଇଥିବା ମେଡିକାଲ ଅଧୀକ୍ଷିକା ଡା. ମାନସୀ ପଣ୍ଡା ସ୍ୱୀକାର କରିଛନ୍ତି। ଏସ୍‌ଏନ୍‌ସିୟୁରେ ଉକ୍ତ ଶିଶୁପୁତ୍ରର ଭର୍ତ୍ତି ହୋଇନଥିବା ଯୋଗୁଁ ଏଭଳି ତ୍ରୁଟି ହେଲା। ଆଗକୁ ଶିଶୁର ପରିଜନଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଡ ଦିଆଯିବ। ଯଦ୍ୱାରା ଆଉ କୌଣସି ଭୁଲ୍‌ ସମ୍ଭାବନା ରହିବ ନାହିଁ ବୋଲି ସେ କହିଛନ୍ତି। ପ୍ରସୂତି ବିଭାଗରେ ରୋଗୀଙ୍କୁ ଭର୍ତ୍ତି କରିବା କ୍ଷଣି ରୋଗୀ ହାତରେ ବ୍ୟାଡ ନମ୍ବର ଓ ନାମର ଟ୍ୟାଗ ଦିଆଯାଇଥାଏ। ସେହିପରି ଶିଶୁ ଜନ୍ମ ହେବା ପରେ ଶିଶୁକୁ ମା’ଙ୍କ ନାମ ଅନୁସାରେ ଟ୍ୟାଗ କରାଯାଇଥାଏ। କିନ୍ତୁ ଚୋରି ହୋଇଥିବା ଶିଶୁପୁତ୍ର ଘଟଣାରେ ଏହା କରାଯାଇ ନଥିବା ଡା. ପଣ୍ଡା ସ୍ପଷ୍ଟ କରିଛନ୍ତି। ତେବେ ସୁରକ୍ଷା ଓ ଚିହ୍ନଟରେ ଏଭଳି ସାଂଘାତିକ ଅବହେଳା କାହିଁକି ଓ କାହା ଦ୍ୱାରା ହେଲା ତାହା ସେ ଜାଣି ନାହାନ୍ତି। ଏନେଇ ଏକ ଅନ୍ତରୀଣ କମିଟି ଗଠନ କରି ମାମଲାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର