ପରିବାର ଅଦାଲତରେ ହାଜର ହେଲେ ଅନୁଭବ-ବର୍ଷା, ଆଜି ଜେରା ଅସଂପୂର୍ଣ୍ଣ

କଟକ: କଟକ ପରିବାର ଅଦାଲତରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ପୂର୍ବରୁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା। ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଜେରା କରିଥିଲେ। ମାମଲା ସଂକ୍ରାନ୍ତୀୟ ବହୁ ପ୍ରଶ୍ନ ଜେରା ସମୟରେ ତାଙ୍କୁ ଆଇନଜୀବୀ ପଚାରିଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷାଙ୍କୁ ଜେରା କରାଯାଇଥିଲା। ଆଜି ଜେରା ଅସଂପୂର୍ଣ୍ଣ ରହିଛି। ଅନ୍ୟପକ୍ଷରେ ଆଜି ଅନୁଭବଙ୍କ ପୁରୀଘାଟ ଥାନା ଅଞ୍ଚଳରେ ଥିବା ଘରର ଚାବି ବର୍ଷା ସଦର ଏସଡିଜେଏମ ଅଦାଲତରେ ଜମା କରିଛନ୍ତି। ଅନୁଭବ ବା ତାଙ୍କ ଆଇନଜୀବୀ ଚାବି ନେବା ପାଇଁ ଉପଲବ୍ଧ ନ ହେବାରୁ ପୂର୍ବ ନିର୍ଦ୍ଦେଶ ଅନୁସାରେ ଚାବି ଅଦାଲତରେ ଜମା କରାଯାଇଛି। ଏହି ପ୍ରସଂଗରେ ଅଦାଲତ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ଏ ନେଇ ବର୍ଷାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଘରୋଇ ହିଂସା ମାମଲାରେ ଚାବି ହସ୍ତାନ୍ତର ପ୍ରସଂଗକୁ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ୨୦୨୨, ଅକ୍ଟୋବର ୧୨ରେ ଦାୟର କରିଥିବା ଆବେଦନକୁ କଟକ ସଦର ଏସଡିଜେଏମ୍ ଅଦାଲତ ଖାରଜ କରିଥିଲେ। ଅନୁଭବଙ୍କ ଆବେଦନରେ ଦର୍ଶାଯାଇଥିଲା ଯେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଅନୁଭବଙ୍କ ଘର ଛାଡିଥିଲେ ମଧ୍ୟ ଚାବି ହସ୍ତାନ୍ତର କରି ନାହାନ୍ତି। ବର୍ଷାଙ୍କ ଠାରୁ ଘର ଚାବି ଆଣି ପୁରୀଘାଟ ଥାନା ଆଇଆଇସି ତାଙ୍କୁ ହସାନ୍ତର କରନ୍ତୁ। ଏହାପୂର୍ବରୁ ଘରେ ଥିବା ଜିନିଷପତ୍ରର ବିସ୍ତାରିତ ତାଲିକା ପରିବାର ସଦସ୍ୟ, ଉଭୟ ପକ୍ଷଙ୍କ ଓକିଲଙ୍କ ଉପସ୍ଥିତିରେ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ବର୍ଷାଙ୍କ ବିରୋଧରେ ଉପଯୁକ୍ତ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଏସଡିଜେଏମ୍ ଅଦାଲତଙ୍କ ୨୦୨୨, ଜୁନ ୨ ଓ ପ୍ରଥମ ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ଅଗଷ୍ଟ ୮ର ନିର୍ଦ୍ଦେଶରେ କିଭଳି ଭାବେ ଚାବି ହସ୍ତାନ୍ତର କରାଯିବ ସେ ନେଇ କିଛି ଉଲ୍ଲେଖ କରାଯାଇ ନଥିଲା। କେବଳ ଚାବି ହସ୍ତାନ୍ତର ପାଇଁ କୁହାଯାଇଥିଲା ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। ଯେତେବେଳେ ବର୍ଷା ଅନୁଭବଙ୍କ ଘରେ ରହୁଥିଲେ ସେତେବେଳେ ଜିନିଷପତ୍ରର ତାଲିକା କୌଣସି ପକ୍ଷ ବା ସଂପର୍କୀୟ ବା ସ୍ଥାନୀୟ ପୁଲିସ ପ୍ରସ୍ତୁତ କରି ନଥିଲା। ଏଥି ସହିତ ବର୍ଷା ଘର ଛାଡିବା ବେଳେ ମଧ୍ୟ କୌଣସି ଜିନିଷର ତାଲିକା କେହି ପ୍ରସ୍ତୁତ କରି ନଥିଲେ। ଏଭଳି ସ୍ଥିତିରେ ଚାବି ହସ୍ତାନ୍ତର ବେଳେ ଜିନିଷପତ୍ର ତାଲିକା କୌଣସି ଭାବେ ଆଇନଗତ ଉଦ୍ଦେଶ୍ୟ ପୂରଣ କରିବ ନାହିଁ। ବର୍ଷା ଚାବି ହସ୍ତାନ୍ତର ପାଇଁ ପ୍ରସ୍ତୁତ ଥିବାରୁ ତାଙ୍କ ନିକଟରୁ ସ୍ଥାନୀୟ ପୁଲିସକୁ ଚାବି ଆଣି ଅନୁଭବଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ନୁହେଁ ବୋଲି ଅଦାଲତ କହିବା ସହିତ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ। ଅନୁଭବ ବା ତାଙ୍କ ଆଇନଜୀବୀଙ୍କୁ ଚାବି ହସ୍ତାନ୍ତର କରିବାକୁ ବର୍ଷାଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପ୍ରତିପକ୍ଷ ଚାବି ନେବାକୁ ମନା କରନ୍ତି ତେବେ ଅଦାଲତରେ ବର୍ଷାଙ୍କ ପକ୍ଷରୁ ଚାବି ଜମା କରାଯାଇ ପାରିବ ବୋଲି ଅଦାଲତ କହିଥିଲେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର