ସିଟି ହସ୍‌ପିଟାଲ୍‌କୁ ବିପଦ! ଦଦରା ଛାତରେ ସୋଲାର୍ ପ୍ୟାନେଲ୍‌, ତଳେ ରୋଗୀ

୨୦୧୯ରୁ ଅଟକିଛି ଡିଏଚ୍‌ଏସ୍ କମ୍ପ୍ଲେକ୍ସ ନକ୍ସା

କଟକ: ବ୍ରିଟିସ୍ ଅମଳରେ କଡ଼ି ବରଗା ଦଦରା କୋଠାରେ ଚାଲୁଥିବା ସିଟି ହସପିଟାଲକୁ ଏବେ ବିପଦ ମାଡ଼ି ଆସିଲାଣି। ଅସୁରକ୍ଷିତ କୋଠାରେ ଥିବା ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦୈନିକ ସର୍ବନିମ୍ନ ୨୦୦ ରୋଗୀ ଚଳପ୍ରଚଳ କରୁଥିବାରୁ ରୋଗୀ ସୁରକ୍ଷା ଏବେ ବଡ଼ ପ୍ରଶ୍ନ ପାଲଟିଲାଣି। କଡ଼ି ବରଗା କୋଠାରୁ ପାଣି ଗଳିବା ସହିତ ବର୍ଷା ପାଣିରେ କାନ୍ଥ ଭେଦିଲାଣି। ଛାତର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। କୋଠା ଗୋଟିଏ ପଟେ ଦୁର୍ବଳ ହୋଇପଡ଼ିଥିବା ବେଳେ ହସପିଟାଲର ସୋଲାର୍ ପ୍ୟାନେଲ୍ ଏହି ଛାତ ଉପରେ ବସିଛି। ଏଭଳି ବିପଦଜନକ ଭାବେ ରୋଗୀ ଚିକିତ୍ସା ଘଟଣା ଏବେ ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି କଲାଣି। ଗୋଟିଏ ସମୟରେ ରାଜଧାନୀ କଟକରେ ଥିବା ବେଳେ ଓଡ଼ିଶା ସଚିବାଳୟର କିଛି ଅଂଶ ବର୍ତ୍ତମାନର ସିଟି ହସପିଟାଲରେ କାର୍ଯ୍ୟ କରୁଥିଲା। ଏହି କୋଠାକୁ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ୧୯୫୯ ଫେବ୍ରୁଆରି ୨୬ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ଉଦଘାଟନ କରିଥିଲେ। ବ୍ରିଟିସ୍ ଅମଳର ଏହି କୋଠାରେ ୬୩ ବର୍ଷ ହେବ ସିଟି ହସପିଟାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ଡାଇରିଆ, ଟିବି, ଦନ୍ତ ବିଭାଗ, ଏକ୍ସରେ, ଅଲଟ୍ରାସାଉଣ୍ଡ ଏବଂ କେନ୍ଦ୍ରୀୟ ଓୟାର ଓ ଡ୍ରଗ୍ ହାଉସ୍ କାର୍ଯ୍ୟ କରୁଛି। ଓୟାର ହାଉସରେ ସାରା ଜିଲ୍ଲାର ଔଷଧ ଗଚ୍ଛିତ ରହୁଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି କଡ଼ି ବରଗା କୋଠା ନିର୍ମାଣ ହୋଇଥିବାରୁ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି। ହସପିଟାଲର ସୂଚନା ଅନୁଯାୟୀ, ଡାଇରିଆ ଵାର୍ଡକୁ ଦୈନିକ ୩୦, ଟିବିକୁ ୪୦, ଏକ୍ସରେ ଓ ଅଲଟ୍ରାସାଉଣ୍ଡକୁ ୮୦, ଦନ୍ତକୁ ୫୦ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି।

ଡାଇରିଆ ଵାର୍ଡରେ ୩୦ ଜଣ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥା ବି ରହିଛି। ପୁରୁଣା କୋଠା ସାମନାରେ ୨୦୦୬ରୁ ଆରମ୍ଭ ହୋଇଥିବା ନୂଆ କୋଠାର ଉପର ମହଲାକୁ ଚଳିତ ବର୍ଷ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିବା ବେଳେ ସ୍ଥାନ ଅଭାବ ଯୋଗୁଁ ଅନ୍ୟ ଵାର୍ଡଗୁଡ଼ିକ ସେଠାକୁ ସ୍ଥାନାନ୍ତର ହୋଇପାରୁ ନାହିଁ। ଏଥିପାଇଁ ୩୦ ହଜାର ବର୍ଗଫୁଟ ଜମିରେ ଥିବା ବ୍ରିଟିସ୍ ଅମଳର ପୁରୁଣା କୋଠାକୁ ଭାଙ୍ଗି ସେହି ସ୍ଥାନରେ ଅତ୍ୟାଧୁନିକ ଡିଏଚଏସ୍ (ଜିଲ୍ଲା ସ୍ବାସ୍ଥ୍ୟ ସୋସାଇଟି) କଂପ୍ଲେକ୍ସ କରିବାକୁ ରାଜ୍ୟ ସରକାର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ହସପିଟାଲରେ ୧୩୦ ବେଡ୍ ଥିବା ବେଳେ ଅତିରିକ୍ତ ୭୦ ବେଡ୍ ଖୋଲିବାକୁ ନିଷ୍ପତ୍ତି ବି ହୋଇଥିଲା। ୨୦୧୯ ଶେଷ ସୁଦ୍ଧା ତିନି ମହଲା କୋଠା ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। କୋଠାର ନିର୍ମାଣ ଦାୟିତ୍ବ ଆରଆଣ୍ଡବି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କଂପ୍ଲେକ୍ସର ରୂପରେଖ ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ। ଏହି ପ୍ରକଳ୍ପ କେଉଁ କାରଣରୁ ଝୁଲି ରହିଛି, ସେ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ରୋଗୀଙ୍କୁ ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ଚିକିତ୍ସା ହେବାକୁ ଛାଡ଼ି ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳର ଚିତ୍ର ଏଭଳି ଥିବା ବେଳେ ଗୁଣାତ୍ମକ ଚିକିତ୍ସା ଏବେ ବଡ଼ ପ୍ରଂସଗ ହୋଇଛି। ୨୫ କୋଟି ୮୪ ଲକ୍ଷ ୨୨ ହଜାର ୪୦୦ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏମସିଏଚ୍ କୋଠା ପ୍ରକଳ୍ପ ବି ଝୁଲି ରହିଛି। ମୁଖ୍ୟ ଚିକିତ୍ସାଳୟର ଏଭଳି ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର