୪ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର

ବୈପାରିଗୁଡା: ଗତ ୪ ଦିନ ଧରି ନିଖୋଜ ଥିବା କୋରାପୁଟ ଜିଲ୍ଳା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଗ୍ରାମର ଗୈାର ଚନ୍ଦ୍ର ପ୍ରଧାନୀ (୫୫)ଙ୍କ ଗଳିତ ଶବ ଜଙ୍ଗଲ ଭିତରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗୈାର ଚନ୍ଦ୍ର ଗତ ୪ ଦିନ ଧରି ଘରୁ ବାହାରି ଆଉ ଫେରି ନାହାନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତା ମିଳିନଥିଲା। ତେବେ ଆଜି ସକାଳୁ ଗ୍ରାମର କିଛି ଲୋକ ଜଙ୍ଗଲ ଭିତରକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଉତ୍କଟ ଗନ୍ଧ ହେବାରୁ କାହିଁକି ଏଭଳି ଉତ୍କଟ ଗନ୍ଧ ହେଉଛି ବୋଲି ଜାଣିବାକୁ ଚାହିଁ ଆଖପାଖ ଜାଗା ଖୋଜିବାକୁ ଲାଗିଲେ ତେବେ ଗୋଟିଏ ଗଛରେ ଗୋଟିଏ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମକୁ ଆସି ଜଣେଇଲେ।
ଶବଟି ଗଳିତ ଅବସ୍ଥାରେ ରହିଥିବାରୁ ସେମାନେ ଚିହ୍ନି ପାରିନଥିବା କହିଥିଲେ। ଏହି ଖବର ଗୈାର ଚନ୍ଦ୍ରଙ୍କ ପରିବାର ଲୋକେ ପାଇବା ପରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ସେମାନେ ଜଙ୍ଗଲ ଭିତରକୁ ଯାଇ ଗଛରେ ଝୁଲୁଥିବା ଶବଟିକୁ ଦେଖିଥିଲେ। ତେବେ ଶବଟି କାହାର ଚିହ୍ନିବା ସମ୍ଭବ ହୋଇ ନଥିଲେ ମଧ୍ୟ ପିନ୍ଧା ଲୁଙ୍ଗି ଏବଂ ବାନିୟନକୁ ଦେଖି ଏହା ଗୈାର ଚନ୍ଦ୍ରଙ୍କ ଶବ ବୋଲି ଚିହ୍ନଟ କରିଥିଲେ। ପରିବାର ଲୋକେ ଆସି ବୈପାରିଗୁଡା ଥାନାରେ ଲିଖିତ ଭାବେ ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପ୍ରକାଶ।
ସମ୍ବନ୍ଧିତ ଖବର