ନିର୍ମାଣାଧୀନ ୭ମହଲା ଡାକ୍ତରଖାନାର ତଦାରଖ କଲେ ଜିଲ୍ଲାପାଳ: ଧାର୍ଯ୍ୟ ସମୟରେ ନ ସାରିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଜୟପୁର: କୋରାପୁଟ ଜିଲ୍ଲାପାଳ କିର୍ତ୍ତୀଭାସନ୍ ଭି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଳିଥିବା ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ତଦାରଖ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଶେଷ ପର୍ଯ୍ୟାୟରେ ଥିବା କାମ ୪୦ଦିନ ମଧ୍ୟରେ ସାରିବାକୁ ଠିକାସଂସ୍ଥା ଓ ରାସ୍ତା ଓ କୋଠାବାଡ଼ି ବିଭାଜନର ନିର୍ବାହୀ ଯନ୍ତ୍ରୀ କ୍ଷୀରଧର କନ୍ଧପାଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଉନ୍ନତ ଓ ଉତ୍ତମ ସ୍ବାସ୍ଥ୍ୟ ସେବା ଅତ୍ୟାଧୁନିକ ବୈଷୟିକ ପଦ୍ଧତିରେ ଯୋଗାଇବା ଲକ୍ଷ୍ୟ ରଖିଛି । ଏଥି ପାଇଁ ୯୯.୮୫କୋଟି ବ୍ୟୟରେ ଏହି ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିର୍ମାଣ ଆରମ୍ଭ କରାଇଛନ୍ତି। ଏହା ସହ ପୁଣି ୫ଟି ଯୋଜନାରେ ମୋ ଡାକ୍ତରଖାନାରେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାମିଲ କରାଯାଇଛି। ଗତ ୫ବର୍ଷ ତଳେ କୋରାପୁଟରୁ ଜୟପୁରକୁ ଜାତୀୟ ସ୍ବାସ୍ଥ୍ୟ ଯୋଜନାରେ ମାତୃ ଓ ଶିଶୁ ଯତ୍ନ(ଏମସିଏଚ୍)କେନ୍ଦ୍ରକୁ ଜିଲାମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲା। ସ୍ଥାନାନ୍ତରର ୫ବର୍ଷ ପରେ ବି କେନ୍ଦ୍ରୀୟ ଔଷଧାଗାର, ନିଦାନ ପରୀକ୍ଷା କେନ୍ଦ୍ର ସହ ବିଭିନ୍ନ ବୈଷୟିକ ପରୀକ୍ଷାଗାର, ସିଟିସ୍କାନ ଏବେ ବି କୋରାପୁଟ ବଡ ମେଡିକାଲ କଲେଜ ପରିସରରେ ଓ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଭଣ୍ଡାର କାର୍ଯ୍ୟକାରୀ ହେଉଛି। ସ୍ଥାନାନ୍ତର ପରେ ଯାହା ଆଶା କରାଯାଉଥିଲା ତାହା ହୋଇ ପାରିନି। ଅପରପକ୍ଷରେ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନଥିବାରୁ ଏଠାକାର ରୋଗୀ ସଂପୁର୍ଣ୍ଣ ରୁପେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପରେ ବେଶି ମାତ୍ରାରେ ନିର୍ଭର ହେବାକୁ ପଡ଼ୁଛି।

ବହୁ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ବି ପାଇ ପାରୁ ନାହାନ୍ତି। ବିଶାଖାପାଟଣାର ଘରୋଇ ଡାକ୍ତରଖାନାଗୁଡିକ ଏଠାରୁ ଯାଉଥିବା ରୋଗୀଙ୍କ ଠାରୁ ମନଇଛା ପରୀକ୍ଷା ନାଁରେ ଟଙ୍କା ଶୋଷି ନେଉଛନ୍ତି। ଦିନକୁ ଦିନ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଭିନ୍ନ ୱାର୍ଡର ବାରଣ୍ଡାରେ ବି ଏମାନେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ୩୦୦ଶଯ୍ୟା ଡାକ୍ତରଖାନା କରିବାକୁ ଯୋଜନା କରିଥିଲେ। ୨୦୨୧ମସିହାରେ ଠିକା ସଂସ୍ଥା କାମ ବି ଆରମ୍ଭ କରିଥିଲେ। ଆସନ୍ତା ଅଗଷ୍ଟ ୨୫ତାରିଖ ସୁଦ୍ଧା ଏହି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ସେପ୍ଟମ୍ବର ମାସ ସୁଦ୍ଧା ୫୬ଟି କ୍ବାର୍ଟର୍ସ, ସହ ୭ ମହଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ କୋଠା ଗୁଡିକର କାମ ସରି ହସ୍ତାନ୍ତର କରିବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ଧାର୍ଯ୍ୟ କରାଯାଇଥିଲା।

୭ ମହଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତରର ସାଜସଜ୍ଜା, ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ ବୈଷୟିକ ଯନ୍ତ୍ରାଂଶ ଆଦିର ସ୍ଥାପନ କରିବା କାମ ବି ବାକି ରହିଛି। ସେଭଳି ନିରନ୍ତର ବିଦ୍ୟୁତ ସେବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ ୮କୋଟି ଟଙ୍କା ଜମା କରାଯାଇଛି। ତଥାପି ନିରନ୍ତର ବିଦ୍ୟୁତ ସେବା ଯୋଗାଇନଥିବାରୁ ତୁରନ୍ତ ଏହି ସେବା ଉପଲବ୍ଧ କରାଇବାକୁ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେଭଳି ଜନସ୍ବାସ୍ଥ୍ୟ ବିଭାଗରୁ ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ | ଜିଲ୍ଲାପାଳ ଅଚାନକ ଗସ୍ତ କରି କାମ ଗୁଡିକର ତଦାରଖ କରିବା ପରେ ଠିକା ସଂସ୍ଥା କାମକୁ ତ୍ବରାନ୍ବିତ କରି ଧାର୍ଯ୍ୟ ସମୟରେ ହସ୍ତାନ୍ତର କରିଦେବା ଆଶା ଦେଖାଦେଇଛି। ଏନଏଚଏମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବରଂଜନ ଷଡଙ୍ଗୀ, ଭାରପ୍ରାପ୍ତ ଡିଏମଓ ଡ.ଦିଲ୍ଲୀପ ବିଶ୍ବାଳ, ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ହସ୍ପିଟାଲ ମ୍ୟାନଜର ରୁପସୀ ମଧୁମିତା ନାୟକ, ତଥାଗତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

ସମ୍ବନ୍ଧିତ ଖବର