ବିଦ୍ୟୁତ୍‌ ତାର ଲାଗି ଗାଡ଼ି ଚାଳକ ମୃତ

ରଗଡ଼ି/ବ୍ୟାସନଗର: କୋରେଇ ଥାନା ଅନ୍ତର୍ଗତ ଅସନଝର ପଞ୍ଚାୟତ ସୋଲବନ୍ଦୀ ଗ୍ରାମରେ ଆଜି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଗାଡ଼ି ଚାଳକ ନୂଆପଡ଼ା ଜିଲ୍ଲା ଅଞ୍ଚଳର ବାସୁଦେବ ନାୟକଙ୍କ ପୁଅ ଓମ୍‌ ପ୍ରକାଶ ନାୟକ(୩୮)। ଗାଡ଼ିର ଖଲାସୀ ସେହି ଅଞ୍ଚଳର ଶିଶୁ ସିହ୍ନା (୧୮) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସୋଲବନ୍ଦୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ସୋଲାର ଲାଇଟ୍‌ ଲଗାଇବା ପାଇଁ ଏକ ଅଶୋକ ଲେଲ୍ୟାଣ୍ଡ ମିନି ଭ୍ୟାନ୍‌ ନମ୍ବର ଓଡି-୨୬ଏଫ-୬୧୩୮ରେ ନୂଆପଡ଼ାର ଗ୍ରିନ୍ ଟେକ୍‌ କମ୍ପାନି ସରଞ୍ଜାମ ପଠାଇଥିଲା। ଗାଡ଼ିରୁ ସରଞ୍ଜାମ ଖଲାସ ବେଳେ ଏକ ଲୁହା ପାଇପ୍‌ ଉପରେ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା।

ଫଳରେ ଗାଡ଼ିର ଚାଳକ ଓମ୍‌ ପ୍ରକାଶ ଓ ଖଲାସୀ ଗୁରୁତର ଆହତ ହୋଇଥିଲେ। ଆହତ ଦୁଇ ଯୁବକଙ୍କୁ କମ୍ପାନି କର୍ମଚାରୀ ଯଯାତି ମଲ୍ଲିକ ତୁରନ୍ତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଗାଡ଼ି ଚାଳକ ଓମ୍‌ ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଖଲାସୀଙ୍କ ଚିକିତ୍ସା ଜାରିରହିଛି। ଯାଜପୁରରୋଡ ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କୋରେଇ ପୁଲିସକୁ ସୂଚନା ଦେଇଥିଲେ। କୋରେଇ ପୁଲିସ ପହଞ୍ଚି ଶବ ଜବତ କରିଛି। ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ କୋରେଇ ଥାନାରେ ୧୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ଟୁନୁରାମ ହାଁସଦା ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର