ବୈଷୟିକ କାରଣକୁ ନେଇ ଭୁବନେଶ୍ବର-ଜୟପୁର-ବିଶାଖାପାଟଣା ବିମାନ ଦିନକ ପାଇଁ ବାତିଲ, ଦ୍ବିତୀୟ ବିମାନ କେବେଠାରୁ?

ଜୟପୁର: ଗତ ଅକ୍ଟୋବର ୩୧ତାରିଖ ଦିନ ଭୁବନେଶ୍ବରରୁ ଜୟପୁର ଏବଂ ସପ୍ତାହକ ପରେ ଜୟପୁରରୁ ବିଶାଖାପାଟଣା ଚାଲୁଥିବା ୱାନଇଣ୍ଡିଆ ଏୟାରର ବିମାନ ଆଜି ବୈଷୟିକ କାରଣକୁ ନେଇ ଚଳାଚଳ ବାତିଲ କରିଥିଲା। ଆସନ୍ତାକାଲିଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ସୂଚନା ମିଳିଛି। ଗୋଟିଏ ବିମାନ ଭୁବନେଶ୍ବରରୁ ଜୟପୁର ଆସି ପୁଣି ଜୟପୁରରୁ ବିଶାଖାପାଟଣା ଯାଇ ସେଠାରୁ ପୁଣି ଜୟପୁର ଆସି ଜୟପୁରରୁ ଭୁବନେଶ୍ବରକୁ ଚଳାଚଳ କରୁଛି। ଏହି ବିମାନ ସେବା ଆରମ୍ଭ ପର ଠାରୁ ଗତ ଜାନୁଆରୀ ମାସରେ ଥରେ ବୈଷୟିକ କାରଣକୁ ନେଇ ଚଳାଚଳ ଦିନକ ପାଇଁ ବାତିଲ କରିଥିବା ବେଳେ ଆଜି ପୁଣି ଦ୍ବିତୀୟ ଥର ପାଇଁ ଏହି ସେବା ବନ୍ଦ ହୋଇଛି। ଏହି ସେବା ଆରମ୍ଭ ପର ଠାରୁ ଭୁବନେଶ୍ବର ୮ଟି ସିଟ୍ ସବୁ ଦିନ ବୁକିଂ ରହୁଥିବା ବେଳେ କାଁଭାଁ ବିଶାଖାପାଟଣା ଟ୍ରିପରେ ସିଟ୍ ଖାଲି ରହୁଛି।

ଆରମ୍ଭ ପରେ ପ୍ରାୟ ମାସକ ସପ୍ତାହକରେ ୬ଦିନ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ୭ଦିନ ଚାଲୁଛି। ମାତ୍ର ଗୋଟିଏ ବିମାନ ବୁଲୁଥିବାରୁ ବୈଷୟିକ ସାଜସଜ୍ଜା ପାଇଁ ବିମାନ ରଖାଯାଇଥିବା ସୂଚନା ମିଳିଛି। ତେବେ ଏହାରି ମଧ୍ୟରେ ଇଣ୍ଡିଆ ୱାନ ଏୟାର ଆଉ ୨ଟି ବିମାନ କିଣି ସାରିଛି। ଦ୍ବିତୀୟଟି ଗତ ମାର୍ଚ୍ଚ ମାସରେ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ଓ ଯାତ୍ରୀ ଯେଉଁ ଆଶା କରିଥିଲେ ତାହା ନିରାଶ ହୋଇଥିଲା। ତେବେ ତୃତୀୟ ବିମାନଟି ଇଣ୍ଡିଆ ୱାନ ଏୟାର କିଣିବା ଜିଲ୍ଲାପାଳ ସୂଚନା ଦେବା ପରେ ଲୋକଙ୍କ ମନରେ ଦ୍ବିତୀୟ ବିମାନ ଚଳାଚଳର ଆଶା ଉଜ୍ଜୀବିତ ହୋଇଛି। ତେବେ ଏହା କେବେ ଚାଲିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଦ୍ବିତୀୟ ବିମାନଟି ଚଳାଚଳ କରିଥିଲେ ବହୁ ଯାତ୍ରୀ ଟିକେଟ ପାଇବାରୁ ବଂଚିତ ହୋଇ ବସରେ ଆସୁଥିବା ବେଳେ ସେମାନେ ବିମାନରେ ଆସିପାରନ୍ତେ ଏବଂ ବୈଷୟିକ ମରାମତି ଆଦି ବି ଠିକରେ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର