ପୁଣି ବିବାଦରେ ଫସିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ; ରୁଜୁ ହେଲା ୧ କୋଟିର ମାନହାନି ମାମଲା

ଗୌହାଟି: ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଓ ବିତର୍କ ଘେରରେ ରହି ଆସିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ପୁଣିଥରେ ବିବାଦ ମଧ୍ୟରେ ଫସି ଯାଇଛନ୍ତି। ସଂପ୍ରତି ରାଜ୍ୟସଭା ସାଂସଦ ଥିବା ତଥା ଦେଶର ପୂର୍ବତନ ପ୍ରଧାନ ବିଚାରପତି ରହିଥିବା ରଂଜନ ଗୋଗୋଇଙ୍କ ବିରୋଧରେ ଆସାମ ପବ୍ଲିକ୍‌ ୱାର୍କସ (ଏପିଡବ୍ଲ୍ୟୁ)ର ସଭାପତି ଅଭିଜିତ ଶର୍ମା ୧ କୋଟି ଟଙ୍କାର ମାନହାନି ମାମଲା ଆଗତ କରିଛନ୍ତି ଏବଂ ତାଙ୍କ ଆତ୍ମଜୀବନୀ ଉପରେ ରୋକ୍‌ ଲଗାଇବା ପାଇଁ ଅଦାଲତରେ ଏକ ପିଟିସନ୍‌ ଦାଖଲ କରିଛନ୍ତି।

ରଂଜନ ଗୋଗୋଇଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍‌ ଫର୍‌ ଦ ଜଜ୍‌’ ପାଇଁ ଲେଖକ ଗୋଗୋଇ ଓ ପ୍ରକାଶକ ରୂପା ପବ୍ଲିକେସନ୍‌ ବିରୋଧରେ ବିଭ୍ରାନ୍ତିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଶର୍ମା ମାନହାନି ମାମଲା ରୁଜୁ କରିଛନ୍ତି। ଏଥିସହ ଗୋଗୋଇ ଓ ତାଙ୍କ ପ୍ରକାଶକଙ୍କ ବିରୋଧରେ ଅପମାନଜନକ ବୟାନ ଓ ଆରୋପ ଥିବା କୌଣସି ପୁସ୍ତକ ପ୍ରକାଶନ, ବିତରଣ କିମ୍ବା ବିକ୍ରୟ ଉପରେ ରୋକ୍‌ ଲଗାଇବା ପାଇଁ ସେ ଅନ୍ତରୀଣ ନିଷେଧାଦେଶ ଜାରି କରିବାକୁ ମଧ୍ୟ ଅଦାଲତରେ ଆଗତ କରିଥିବା ଯାଚିକାରେ ଆବେଦନ କରିଛନ୍ତି। ଏହି ମାମଲା ଗୌହାଟିର କାମରୂପ  ଜିଲ୍ଲା ଅଦାଲତରେ ଆଗତ କରାଯାଇଛି।

ମଙ୍ଗଳବାର ଏହାର ଶୁଣାଣି ହୋଇଥିଲା ଏବଂ ବୁଧବାର କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ପିଟିସନ ଏବଂ ଦସ୍ତାବିଜଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ ଉଭୟ ଆଇନ ଏବଂ ତଥ୍ୟର ବିଚାର ପାଇଁ ଆଗତ ଆବେଦନରେ ଯଥେଷ୍ଟ ପ୍ରଶ୍ନ ରହିଛି।

ଏହି ପରିପ୍ରେକ୍ଷୀରେ କୋର୍ଟ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷଙ୍କୁ ସମନ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଜୁନ୍‌ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ରିପୋର୍ଟରୁ ପ୍ରକାଶ, ଗୋଗୋଇ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଆସାମରେ ଭୋଟର ତାଲିକାରୁ ବେଆଇନ ପ୍ରବାସୀଙ୍କ ନାମ ହଟାଇବା ପାଇଁ ଏପିଡବ୍ଲ୍ୟୁ ପ୍ରଥମେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା, ଯାହା ଫଳରେ ଉତ୍ତର-ପୂର୍ବ ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକା ଅପଡେଟ୍‌ ହୋଇଥିଲା। ତେବେ, ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ଯେ ପୁସ୍ତକରେ ତାଙ୍କ ବିରୋଧରେ ଆରୋପ ‘ସଂପୂର୍ଣ୍ଣ ମିଥ୍ୟା ଏବଂ ଦୁର୍ଭାଗ୍ୟଜନକ’ ଏବଂ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ପୁସ୍ତକରେ ଆବେଦନକାରୀଙ୍କ ବିରୋଧରେ ମିଥ୍ୟା, ଭିତ୍ତିହୀନ ଏବଂ ଦୁର୍ନୀତିଜନକ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣ ନାହିଁ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଶ୍ରୀ ଶର୍ମା ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ତାଙ୍କର ରାଜ୍ୟରେ ଯଥେଷ୍ଟ ଖ୍ୟାତି ରହିଛି, କିନ୍ତୁ ଗୋଗୋଇଙ୍କ ଆତ୍ମଜୀବନୀରେ ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ ଅଭିଯୋଗ ପରେ ସାଧାରଣ ଜନତା, ବନ୍ଧୁ ଏବଂ ପରିବାର ଲୋକଙ୍କ ଦୃଷ୍ଟିରେ ତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛି, ଯାହା ତାଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଏବଂ ଦୁଃଖ ଦେଇଛି।

ଏପିଡବ୍ଲ୍ୟୁ ସଭାପତି ଶ୍ରୀ ଶର୍ମା ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ, ଗୋଗୋଇ ଭାରତର ଶୀର୍ଷ ଅଦାଲତରେ ସର୍ବୋଚ୍ଚ ବିଚାରପତି ପଦରେ ଥିବା ବେଳେ ମୁଁ ତାଙ୍କ ଉପରେ କୌଣସି ବ୍ୟକ୍ତିଗତ ଆକ୍ରମଣ କରିନାହିଁ। ଉଲ୍ଲେଖଯୋଗ୍ୟ, ଗୋଗୋଇ ୨୦୧୮ରୁ ୧୯ ପର୍ଯ୍ୟନ୍ତ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର