ଟ୍ରକ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଉମରକୋଟ: ଟ୍ରକକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣାର ଶିକାର ଜଣେ ବାଇକ ଚାଳକ | ତାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ରାଇଘର ଯିବା ରାସ୍ତାର ବୁର୍ଜା ଛକ ନିକଟରେ। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗୁଡ଼ି ଗୁଡା ଗ୍ରାମର ଆଇତୁ ପହଁରା(୬୦)। ଆହତ ଜଣକ ହେଲେ କାନ୍ଦିରି ଲହରା (୫୫)। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ହୋଇଥିବାବେଳେ ମିଳିଥିବା ସୂଚନା ଅନୁସାରେ ଆଇତୁ ଓ କାନ୍ଦିରି ଦୁହେଁ ମିଶି ବାଇକ୍ ଯୋଗେ କୈାଣସି କାମରେ ରାଇଘର ବ୍ଲକ ଡୁମୁରୁମୁଣ୍ଡା ଗ୍ରାମକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ବୁର୍ଜା ଛକ ନିକଟରେ ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ଆଇତୁଙ୍କର ମୃତ୍ୟୁ ହୋଇଯାଇଥିଲା | ରାସ୍ତାରେ ଯାଉଥିବା ଲୋକେ କାନ୍ଦିରିକୁ ଉଦ୍ଧାର କରି ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ବର୍ତ୍ତମାନ କାନ୍ଦିରି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି |

ସମ୍ବନ୍ଧିତ ଖବର