ଘରୋଇ ଇଞ୍ଜିନିୟରିଂ କଲେଜ ବିରୋଧରେ ମହାଘୋଟାଲା ଅଭିଯୋଗ

ନକଲି ଜାତିଗତ ପ୍ରମାଣପତ୍ର ମାଧ୍ୟମରେ ଲୁଟୁଛନ୍ତି ଷ୍ଟାଇପେଣ୍ଡ ଅର୍ଥ, କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ତନାଘନା ଆରମ୍ଭ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବିଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜ‌ ସରକାରୀ ଅର୍ଥକୁ ହରିଲୁଟ୍‌ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। କଲେଜରେ ଅନେକ ନକଲି ବିଦ୍ୟାର୍ଥୀଙ୍କୁ ଆଡମିସନ କରାଇ ସେମାନଙ୍କ ନାଁରେ ଆସୁଥିବା ବିଭିନ୍ନ ଟଙ୍କା ହରିଲୁଟ୍‌ କରାଯାଉଛି। ଏନେଇ ବାଲେଶ୍ବର ଜିଲ୍ଲାପାଳଙ୍କୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଲିଖିତ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବକ ବାଲେଶ୍ବର ଜିଲ୍ଲାର ସୋର, ସେରଗଡ଼, ବଣପାରିଆ ଏବଂ ଚାନ୍ଦିପୁର ଶ୍ରୀକୋଣା ଅଞ୍ଚଳରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାରେ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ନା‌ମ ଲେଖାଇବା ପାଇଁ ଦଲାଲ ଭାବେ କାମ କରନ୍ତି। ଏମିତିକି ନିଜକୁ ସୋର ଠାରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିବା ତାଙ୍କ ଫେସବୁକ ଆକାଉଣ୍ଟରୁ ଜଣାପଡ଼ିଛି। ତେବେ ଯୁବକଜଣକ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମ ଲେଖାଇବା ସହ ସେମାନଙ୍କ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ଦୀର୍ଘବର୍ଷ ହେଲା କୋଟିକୋଟି ଟଙ୍କ‌ାର ଏସ୍‌ସି/ଏସ୍‌ଟି ଟଙ୍କା ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିଛନ୍ତି।

ଉକ୍ତ ଯୁବକଙ୍କ ସହ ସମ୍ପୃକ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ, ସରକାରୀସ୍ତରରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରୁଥିବା ରାଜସ୍ବ ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କଥା ବୁଝୁଥିବା ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ(ଡିଡବ୍ଲୁଓ)ର କର୍ମଚାରୀ ମାନେ ସାମିଲ ଅଛନ୍ତି। ଏନେଇ ୨୦୧୦ରୁ ୨୦୨୩ ମସିହା ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମ ଲେଖାଇଥିବା ସମସ୍ତ ବ୍ୟାଚର ଷ୍ଟାଇପେଣ୍ଡ ପାଇଥିବା ଏସ୍‌ସି/ଏସ୍‌ଟି ସାର୍ଟି‌ଫିକେଟ ଗୁଡ଼ିକ ଯାଞ୍ଚ କରାଗଲେ ପ୍ରକୃତ ସତ ପଦାକୁ ଆସିବା ସହ ରାଜ୍ୟର ଏକ ବଡ଼ ଆର୍ଥିକ ଅନିମିୟତା ସାମ୍ନାକୁ ‌ଆସିବ ବୋଲି ଅଭିଯୋଗକାରୀ ନିକଟରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ। ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଅଭିଯୋଗକାରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ବରରେ ଏତଲା ଦାଏର ହୋଇଛି। ସେହିପରି ଇଓଡବ୍ଲୁ ପକ୍ଷରୁ ମଧ୍ୟ ଏନେଇ ତନାଘନା ଆରମ୍ଭ କରାଯାଇଥିବା ଜଣାଯାଇଛି। ସୂଚନା ଥାଉକି, ପ୍ରତିବର୍ଷ ସମ୍ପୃକ୍ତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଏହିପରି ଶତାଧିକ ଗରିବ ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ଭର୍ତ୍ତି କରାଯାଇ ସରକାରୀ ଅର୍ଥକୁ ମିଳିମିଶି ହଡ଼ପ କରାଯାଉଥିବା ବେଳେ ଏନେଇ ତୁରନ୍ତ ତନାଘନା କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର