ପୋଡ଼ିହୋଇ ନବବଧୂଙ୍କ ମୃତ୍ୟୁ,ସ୍ୱାମୀ ଅଟକ

ଗୋପାଳପୁର: ରଘୁନାଥପୁର ଥାନା ଜଗନ୍ନାଥପୁର ଗ୍ରାମର ଧ୍ରୂବଚରଣ ବେହେରାଙ୍କ ପତ୍ନୀ ବବିତା ବେହେରା ଗତକାଲି ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମନାନ୍ତରରୁ ଏଭଳି ଘଟିଥିବାରୁ ପୁଲିସ ଧ୍ରୁବଚରଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ମୁତାବକ, ଜଗନ୍ନାଥପୁରର ସୁବଳ ବେହେରାଙ୍କ ପୁଅ ଧ୍ରୁବଚରଣ ୨୦୧୪ମସିହାରେ ସାଲେପୁର ଥାନା ଭଡ଼ାସିଂ ଗ୍ରାମର ନୃସିଂହ ବେହେରାଙ୍କ ଝିଅ ବବିତା(୨୫)ଙ୍କୁ ବିବାହ କରିଥିଲେ। ସେମାନଙ୍କର ୩ବର୍ଷର ପୁଅଟିଏ ଅଛି। କେଇଦିନ ତଳେ ବବିତା ଜଣେ ଯୁବକଙ୍କ ସହ ବିଳମ୍ବିତ ରାତିରେ କଥା ହେଉଥିବାରୁ ତାହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ କଳିଗୋଳ ହୋଇଥିଲା।

ଏହାକୁ ନେଇ ସ୍ୱାମୀ ଧ୍ରୁବ ନିଜ ଶ୍ୱଶୂର ଘର ଲୋକଙ୍କୁ ବି ଜଣାଇଥିଲେ ବି ସେମାନେ ଏହାର ଗୁରୂୁତ୍ୱ ଦେଇନଥିଲେ। ଗତକାଲି ବବିତା ଠିକ୍‌ ଢ଼ଙ୍ଗରେ ଖିଆପିଆ କରିନଥିଲେ। ସ୍ୱାକୀ, ପୁଅ ଓ ପରିବାରର ଅନ୍ୟ ସଦସ୍ୟମାନେ ଶୋଇପଡ଼ିବା ପରେ ବବିତା ପାଖ ଘର ଭିତରେ ପଶି କବାଟ କିଳି ଦେଇଥିଲେ। ଏହାପରେ ସେ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକେ ଜାଣିପାରି କବାଟ ଖୋଲିବାବେଳକୁ ସେ ପୋଡ଼ି ମୃତ୍ୟୁବରଣ କରି ସାରିଥିଲେ। ଏ ଖବର ସେମାନେ ବବିତାଙ୍କ ବାପଘରକୁ ଓ ପୁଲିସ୍‌କୁ ଜଣାଇଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ସ୍ୱାମୀ ଧ୍ରୁବଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ବବିତାଙ୍କ ଫୋନ୍‌ କଲ୍‌ରୁ ତାଙ୍କ ସହ କଥା ହେଉଥିବା ଯୁବକଙ୍କ ତଲାସ ଆରମ୍ଭ କରଛି। ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଭାରପ୍ରାପ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ, ଏସ୍‌ଡିପିଓ ଶିବପ୍ରସାଦ ମଲ୍ଲିକ ଓ ଜଗତ୍‌ସିଂହପୁରର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର