ବେଡ଼ାରୀବାସୀଙ୍କୁ ମଶା ଦଶା

ଗରଦପୁର: ଗରଦପୁର ବ୍ଲକର ‘ଫୋକସ୍‌ ଭିଲେଜ୍‌’ ବେଡ଼ାରୀବାସୀ ମଶା ଦଶା ଭୋଗୁଛନ୍ତି। ଏଠାରେ ପରିମଳ ବ୍ୟବସ୍ଥା ପୂରା ବିଗିଡ଼ି ଯାଇଛି। ଏହି ଗାଁରେ ଥିବା ପୋଖରୀଗୁଡ଼ିକ ମଶାଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ଏହି ଦଳଭର୍ତ୍ତି ପୋଖରୀଗୁଡ଼ିକ ଯୋଗୁ ଗାଁରେ ମଶା ଉତ୍ପାତ ବଢି ଚାଲିଛି।
୧୯୯୦-୯୧ରେ ବେଡ଼ାରୀ ଗ୍ରାମ ‘ଫୋକସ୍‌ ଭିଲେଜ୍‌’ ଗ୍ରାମର ମାନ୍ୟତା ପାଇଥିଲା । ୫ଟି ଓ୍ଵାର୍ଡ ବିଶିଷ୍ଟ ଏହି ଗ୍ରାମର ଲୋକସଂଖ୍ୟା ୧୮୪୦। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କଥା ନ କହିଲେ ଭଲ। ଗାଁ କଲ୍ୟାଣ ସମିତିରୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ, ଗାଁରେ ଥିବା ପୋଖରୀଗୁଡ଼ିକରୁ ଦଳ ସଫା ହୋଇ ପାରୁନାହିଁ । ବର୍ଷବର୍ଷ ଧରି ଦଳ ଜମା ହୋଇ ରହିଥିବା ଏହି ପୋଖରୀରେ ମଶା ବଂଶ ବିସ୍ତାର ହେବାରେ ଲାଗିଛି। ଏହି ଗ୍ରାମରେ ୧୫ରୁ ଅଧିକ ପୋଖରୀ ରହିଛି। ସବୁଥିରେ ଦଳ ମାଡ଼ି ରହିଛି। ୨୦୦୧, ୨୦୦୬, ୨୦୦୮ ଓ ୨୦୧୧ ବନ୍ୟାରେ ଗାଁ ବନ୍ୟା ଜଳରେ ଉବୁଟୁବୁ ହୋଇଥିଲା। ଅଧିକାଂଶ ପୋଖରୀରୁ ଦଳ ବାହାରକୁ ଯାଇପାରି ନ ଥିଲା । ପୋଖରୀଗୁଡ଼ିକ ଏବେ ଗାଁ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ସ୍ୱାସ୍ଥ୍ୟବିଭାଗର ଏଥିପ୍ରତି ନିଘା ନାହିଁ। ଗାଁ କଲ୍ୟାଣ ସମିତି ଥାଇ ନ ଥିବା ଭଳି ହୋଇଛି।
ସୂଚନା ଥାଉ କି, ୩ ବର୍ଷ ତଳେ ଏଠାରେ ୨୫ରୁ ଅଧିକ ଲୋକ ଡେଙ୍ଗୁ, ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ନଜିର ରହିଛି । ଗ୍ରାମର ବାଉରୀବାଟ ପୋଖରୀ, ଦଣ୍ଡା ପୋଖରୀ, ଫୁଲ ପୋଖରୀ, ବଣିଆ ସାହି ପୋଖରୀ, ବାରିକ ଘର ପୋଖରୀ, ମହାନ୍ତି ଘର ପୋଖରୀ, ଧୋବା ସାହି ପୋଖରୀ, ଭୂୟାଁ ସାହି ପୋଖରୀ, ମଳିକ ସାହି ପୋଖରୀ, କଚେରୀ ପୋଖରୀ, ନାହାକଆଣୀ ପୋଖରୀ, ମହ୍ଲ ସାହି ଆଦି ପୋଖରୀରେ ଦଳ ଭର୍ତ୍ତି ହୋଇ ରହିଛି । କେତେକ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଗୁଡ଼ିକୁ ପୋତି ଦେବା ସହ ପୋଖରୀରୁ ଦଳ ସଫା କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର