କଳାବଜାରୀଙ୍କୁ ଲକଡାଉନ ସାହା: ମାଛ-ମାଂସ- ଚିକେନ୍ ଓ ଗ୍ୟାସ୍‌ରେ ଗ୍ରାହକଙ୍କୁ ଲୁଟ୍

ଝାରସୁଗୁଡ଼ା: ଲକଡାଉନ ସମୟରେ ଲୋକେ ଘରୁ ପଦାକୁ ବାହାରି ପାରୁନଥିବାରୁ ଏହାର ପ୍ରବଳ ଫାଇଦା ଉଠାଇ ଚାଲିଛନ୍ତି କଳାବଜାରୀ। ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଚାଲିଛି କଳାବଜାରୀ। ପରିତାପର ବିଷୟ ଅନେକ କଳାବଜାରୀ ଏବେ ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ପ୍ରଶାସନ ଏମାନଙ୍କୁ କିଛି କରି ପାରୁନାହିଁ। ଝାରସୁଗୁଡ଼ାରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ କଳାବଜାର ଯୋର୍ ଧରୁଛି। କିଛି ପ୍ରଭାବଶାଳୀ ବ୍ୟବସାୟୀ ରାଜନୈତିକ ପ୍ରଭାବ ବିସ୍ତାର କରି ପ୍ରଶାସନକୁ ପ୍ରଭାବିତ କରିବାରେ ସଫଳ ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣକୁ ନେଇ ସାରା ଦେଶ ଲକଡାଉନ ଥିବା ବେଳେ ଏହାର ବଡ଼ ଫାଇଦା ଉଠାଉଛନ୍ତି ଏହି ବଡ଼ ବ୍ୟବସାୟୀ।

ସହରରେ ଥିବା ଥୋକ ବ୍ୟବସାୟୀ ଏବେ ଚଢ଼ା ଦର ନେବା ଆରମ୍ଭ କଲେଣି। ଏପଟେ ଖୁଚୁରା ବ୍ୟବସାୟୀ କମ୍ ଲାଭ ପାଉଥିଲେ ମଧ୍ୟ ଦର ବଢ଼ାଇ ନପାରି କ୍ଷତି ସହିବା ଆରମ୍ଭ କଲେଣି। ମାଛ, ମାଂସ, ଚିକେନ୍ ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନଥିବାରୁ ଏବେ ଦର କାହିଁରୁ କାହିଁ ବୃଦ୍ଧି ହୋଇଗଲାଣି। ମାଂସ କିଲୋ ୬ ଶହ ଟଙ୍କାରେ ପହଞ୍ଚିଥିବା ବେଳେ ମାଛ ୨ ଶହ ଓ ଚିକେନ ୧୮୦ ଟଙ୍କା ହେଲାଣି। ପ୍ରଶାସନ କେବଳ ଆଳୁ ପିଆଜ ପଛରେ ପଡ଼ିଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ନିୟନ୍ତ୍ରଣ ହରାଇଛି। ପ୍ରଶାସନର ଆଙ୍କୁଶ ନରହିବା ଫଳରେ ଏହା ଏବେ ଚଢ଼ା ଦରରେ ବଜାରରେ ବିକ୍ରି ହେଉଥିବା ଦେଖାଯାଇଛି। କେବଳ ଚଢ଼ାଦର ନୁହେଁ ଅତି ନିକୃଷ୍ଟ ଜିନିଷ ମଧ୍ୟ ଗ୍ରାହକଙ୍କୁ ଚଞ୍ଚକତା କରି ଦିଆଯାଉଥିବା ଅଭିଯୋଗ ହେଉଛି। ଏବେ ତେଜରାତି ଦୋକାନ, ପନି ପରିବା, ମାଛ ଓ ମାଂସ ଦୋକାନ ଖୋଲା ରହି ଥିବାରୁ ଏଥିରେ ଭଲ ବ୍ୟବସାୟ ହେଉଛି। ପରିବା ବଜାର ଉପରେ ରାଜ୍ୟ ବାହାର ବ୍ୟବସାୟୀ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଛନ୍ତି।

ଲକଡାଉନ ଯୋଗୁଁ ଚାଷୀ ଗାଁରୁ ଉତ୍ପାଦିତ ଦ୍ରବ୍ୟ ସହରକୁ ଆଣିବାକୁ ଭୟ କରୁଥିବା ବେଳେ ଏହି ରାଜ୍ୟ ବାହାରର ବ୍ୟବସାୟୀ ମାନେ ଚାଷୀ ଠାରୁ ଅତି ଅଳ୍ପ ଟଙ୍କାରେ ତାଙ୍କର ଉତ୍ପାଦିକ ପନିପରିବା ଆଣି ଏଠାରେ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ଲକଡାଉନ ପରିସ୍ଥିତିର ଫାଇଦା ଉଠାଇ କିଛି ବ୍ୟବସାୟୀ ଅତି ଆବଶ୍ୟକ ସାମଗ୍ରୀ କଳା ବଜାର ତଥା ଚଢା ଦରରେ ବିକ୍ରି କରି ଅସହାୟ ଲୋକଙ୍କୁ ଶୋଷଣ କରିବା ଆରମ୍ଭ କଲେଣି।

ସବୁଠାରୁ ବେଶୀ ମୁନାଫା ଉଠାଇବାରେ ଲାଗିଛନ୍ତି ରନ୍ଧନ ଗ୍ୟାସ୍ ବ୍ୟବସାୟୀମାନେ। ଗ୍ୟାସ୍ ବିତରକ ମାନଙ୍କ ଠାରୁ ଏହି କଳାବଜାରୀ ମାନେ ଗ୍ୟାସ୍ ସିଲିଣ୍ଡର ଆଣି ଦୁଇଟି ସିଲିଣ୍ଡରକୁ ତିନୋଟି କରି ତାକୁ ବଜାରରେ ବିକ୍ରୟ କରୁଛନ୍ତି। ଝାରସୁଗୁଡ଼ାରେ କୌଣସି ଗ୍ୟାସ୍ ବିତରକ ହୋମ୍ ଡ଼େଲିଭେରୀ ଦେଉନଥିବାରୁ ଗ୍ରାହକ ନିଜେ ବିତରକ ପାଖକୁ ଯାଇ ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଗ୍ୟାସ ନେଇଥାନ୍ତି। ଲକଡାଉନ ବେଳେ ଲୋକେ ଘରୁ ବାହାରି ପାରୁନଥିବାରୁ ପ୍ରଶାସନ ଗ୍ୟାସ୍ ଘରେ ପହଞ୍ଚାଇବାକୁ ବିତରକୁ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିତରକ ମାନେ ଠିକ୍ ସମୟରେ ଗ୍ରାହକ ମାନଙ୍କୁ ଗ୍ୟାସ୍ ଡେଲିଭରୀ ଦେଉନଥିବାରୁ ସେମାନେ ବାହାରେ କଳାବଜାର କରୁଥିବା ବ୍ୟବସାୟୀ ମାନଙ୍କ ଠାରୁ ଗ୍ୟାସ୍ ସିଲିଣ୍ଡର ନେବାକୁ ବାଧ୍ୟ ହେଉଛନ୍ତି।

ତେବେ ଏହି ଗ୍ୟାସ୍‌ରେ ଓଜନ କମ୍ ଥିବା ବେଳେ ଅଧିକ ମୂଲ୍ୟ ଦେଇଗ୍ରାହକ କିଣିବାକୁ ବାଧ୍ୟ ହେଉଛି। ଝାରସୁଗୁଡ଼ାର ଜଣେ ଗ୍ୟାସ୍ ବିତରକ ବ୍ରଜରାଜନଗରରେ ତାଙ୍କ ସଂପର୍କିୟଙ୍କ ଘରେ ବେଆଇନ ଭାବରେ ବିପୁଳ ପରିମାଣରେ ଗ୍ୟାସ୍ ମହଜୁଦ୍ କରି ରଖିଥିବା ବେଳେ ଏହାକୁ ଜବତ କରି ରାଜନୈତିକ ଚାପର ବଶବର୍ତ୍ତି ହୋଇ ପ୍ରଶାସନ ନିରବତା ଅବଲମ୍ବନ କରୁଥିବାରୁ କଳାବଜାରୀ ମାନେ ଉତ୍ସାହିତ ହେଉଛନ୍ତି। ଏହି ଘଟଣା ସଂପର୍କରେ ଆଜି ସମ୍ବାଦରେ ବିସ୍ତୃତ ବିବରଣୀ ପ୍ରକାଶ ପାଇବା ପରେ ବ୍ରଜରାଜନନଗର ପୁଲିସ ବେଶ ସକ୍ରିୟ ହୋଇଛି। ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ବରେ ଆଜି ବେଲପାହାଡ଼ ଠାରେ ଏକାଧିକ ବେଆଇନ ଗ୍ୟାସ ବ୍ୟବସାୟୀଙ୍କୁ ଚଢ଼ାଉ କରାଯାଇ ବହୁ ପରିମାଣରେ ଗ୍ୟାସ୍ ଜବତ କରାଯାଇଛି। ଏହି ବ୍ୟବସାୟୀ ମାନେ ଜନବସତି ଭିତରେ ଦୀର୍ଘ ଦିନରୁ ବିପଦ ସଂକୁଳ ଭାବରେ ଗ୍ୟାସ୍ କାରବାର କରି ଆସୁଛନ୍ତି।

ସମ୍ବନ୍ଧିତ ଖବର