ପୂର୍ତ୍ତ ବିଭାଗରେ ଦୁର୍ନୀତିର ତଦନ୍ତ ନେଇ ଭିଜିଲାନ୍ସ ଅଧିକାରୀଙ୍କୁ ବିକାଶ ମଞ୍ଚର ସ୍ମାରକପତ୍ର

ରାୟଗଡା: ରାୟଗଡ ଠାରେ ଥିବା ରାସ୍ତା ଓ ଗୃହ ପୂର୍ତ୍ତ ବିଭାଗର ଡିଭିଜନ ଓ ସବ ଡିଭିଜନ ମାନଙ୍କରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ନେଇ ଅଭିଯୋଗ କରାଯାଇଛି। ଓଡ଼ିଶା ସରକାରଙ୍କ ଠାରୁ ପ୍ରାପ୍ତ ଅନୁଦାନ ଗୁଡ଼ିକର ବିକାଶ ପାଇଁ ଆସୁଥିବା ଅର୍ଥ ଠିକ୍ ଭାବରେ ବିନିଯୋଗ କରାନଯାଇ ମିଥ୍ୟା ବିଲ ଓ ଭାଉଚର ମାଧ୍ୟମରେ ହଡ଼ପ କରାଯାଉଛି। ଏହି ସବୁ ଦୁର୍ନୀତିରେ ଉକ୍ତ ବିଭାଗର କିଛି ଯନ୍ତ୍ରୀ ସିଧାସଳଖ ଜଡ଼ିତ ଅଛନ୍ତି। ସେହି ଅନୁଦାନରେ ୨୫ ପ୍ରତିଶତ କାର୍ଯ୍ୟ କରି ୭୫ ପ୍ରତିଶତ ସିଧାସଳଖ ବାଟମାରଣା ହେଉଛି। ଏହାଦ୍ଵାରା ସରକାରଙ୍କ ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି। ଏନେଇ କିଛିଦିନ ତଳେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥଲା। ବିଭାଗ ଦ୍ଵାରା କରାଯାଉଥିବା କାର୍ଯ୍ୟର ଟେଣ୍ଡର ଡକା ନ ଯାଇ ଯନ୍ତ୍ରୀମାନେ ନିଜର ମନମୁତାବକ ଠିକାଦାରଙ୍କ ଜରିଆରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ବିଗତ ଦିନରେ ଏଠାରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ପୂଳା ପୂଳା ଟଙ୍କା ନେଇ କାରରେ ଯାଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ କାରକୁ ଅଟକାଇ ଟଙ୍କା ସବୁ ଜବତ କରିବା ସହ ନିର୍ବାହୀ ଅଧିକାରୀ ଯମୁନା ବେହେରାଙ୍କୁ ଗିରଫ କରିଥିଲେ। ଏହାସତ୍ତ୍ୱେ ବି ବିଭାଗର ଯନ୍ତ୍ରୀମାନେ କିଭଳି ଦୁର୍ନୀତି କରି ଚାଲିଛନ୍ତି ଚିନ୍ତାର ବିଷୟ। ରାୟଗଡ଼ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଦୁର୍ନୀତିର ପ୍ରକୃତ ତଦନ୍ତ କରି ସମ୍ପୃକ୍ତ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସ ଉପ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁନାଥ ରାଏଗୁରୁଙ୍କୁ  ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ରାୟଗଡ଼ା ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ଉପଦେଷ୍ଟା ସାରଥୀ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର