ବସ୍‌ରେ ହେଉଛି ନିଶାଦ୍ରବ୍ୟ ଚାଲାଣ: ୩ ନିଶା ବେପାରୀ କୋର୍ଟ ଚାଲାଣ

୩ ନିଶା ବେପାରୀ କୋର୍ଟ ଚାଲାଣ

ବାଲେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବସ୍‌ରୁ ବିପୁଳ ଗଞ୍ଜେଇ ଓ ୪୮ ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ସହ ୩ ଜଣ କୋର୍ଟ ଚାଲାଣ ହୋଇଛନ୍ତି। ବସ୍‌ରେ ଗଞ୍ଜେଇ ଚାଲାଣ ଖବର ମିଳିବା ପରେ ବାଲେଶ୍ବର ଜିଲ୍ଲା ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବିଳମ୍ବିତ ରାତି ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକର ଯାଞ୍ଚ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ଏବଂ ଜଳେଶ୍ୱର ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ସଦର, ଜଳେଶ୍ୱର, ଗୋପାଳପୁର ଓ ଭୋଗରାଇ ଅବକାରୀ ବିଭାଗର ଏକ ଟିମ୍‌ ଖନ୍ତାପଡ଼ାଠାରେ ଯାଞ୍ଚ କରୁଥିବା ବେଳେ ଓଡି-୧୧-ପି-୧୧୧୪ ନମ୍ବର ବସ୍‌ରୁ ଏକ ବ୍ୟାଗ୍‌ରେ ଥିବା ୪୮ ଲକ୍ଷ ୨୧ ହଜାର ୫୦୦ ଟଙ୍କା ମିଳିଥିଲା। ହେଲେ ଏତେ ପରିମାଣର ଟଙ୍କା କାହାର ଏବଂ କେଉଁଠୁ ଆସିଲା ସେନେଇ ପଚାରିବାରୁ ବସ୍‌ର କଣ୍ଡକ୍ଟର, ହେଲ୍‌ପର କିମ୍ବା କୌଣସି ଯାତ୍ରୀ ମୁହଁ ଖୋଲି ନଥିଲେ।

ଫଳରେ ଅବକାରୀ ବିଭାଗ ଟଙ୍କାକୁ ଜବତ କରିଥିଲା। ସେହିପରି ବସ୍‌ରେ ଥିବା ଦକ୍ଷିଣଚବିଶପ୍ରଗଣା ଜିଲ୍ଲାର ନଇନାନ୍ ଗ୍ରାମର ରକ୍ସନା ବିବି (୩୬) ଏବଂ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଶିଶାଗ୍ରାମର ସୁକାନ୍ତ ମଣ୍ଡଳ (୩୬)ଙ୍କଠାରୁ ୧୫ କେଜି ଗ​ଞ୍ଜେଇ ଜବତ ହେବା ସହ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ଆଜି ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମ ଜବତ ଟଙ୍କା ଜିଲ୍ଲା କୋଷାଗାରରେ ଜମା କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଗତକାଲି ରାତି ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଭୋଗରାଇରେ ଏକ ବସ୍‌ ଯାଞ୍ଚ ବେଳେ ପଶ୍ଚିମବଙ୍ଗ ସିଲିଗୁଡ଼ି ଥାନା ଅଧୀନ ରବୀନ୍ଦ୍ରନଗର ଅଞ୍ଚଳର ମନୋରଂଜନ ସରକାର (୫୮)ଙ୍କଠାରୁ ୨୪ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ୍‌ ମାମଲା ରୁଜୁ ହୋଇଛି ଏବଂ ଧରାପଡ଼ିଥିବା ୩ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର