ପୁନର୍ବାସ ଓ ଥଇଥାନ ନୀତିକୁ ଅଣଦେଖାର ପ୍ରତିବାଦ: ବିସ୍ଥାପିତଙ୍କ ଧାରଣା, ଓସିପିଏଲ ଖଣି ବନ୍ଦ

ସୁନ୍ଦରଗଡ଼: ଜମି ଅଧିଗ୍ରହଣ ନିୟମକୁ ଅଣଦେଖା କରିବା ସହ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତଙ୍କୁ କ୍ଷତିପୂରଣ ଏବଂ ପୁନର୍ବାସ, ଥଇଥାନ, ନିଯୁକ୍ତି ନଦେଇ ଭଣ୍ଡିଥିବା ଅଭିଯୋଗରେ ଆଜି ଓସିପିଏଲ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି ସାନଘୁମୁଡ଼ା ଗାଁର ପ୍ରଭାବିତ ଲୋକେ। ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଶତାଧିକ ବିସ୍ଥାପିତ ମହିଳା, ପୁରୁଷ ଓ ଶିଶୁ ଏସିପିଏଲ ଖଣି ଗେଟ ବନ୍ଦ କରି ଧାରଣା ଦେଇଛନ୍ତି। ଫଳରେ ଖଣି ଉତ୍ତୋଳନ, ପରିବହନ ସବୁ ବନ୍ଦ ରହିଛି | କନଭେୟର ବେଲ୍ଟରେ କୋଇଲା ଯାଉଥିବାରୁ ତାକୁ ବିସ୍ଥାପିତ ବନ୍ଦ କରି ଦେଇଥିଲେ।। ଏ ପ୍ରସଙ୍ଗରେ ଆଲୋଚନା ଓ ନିଷ୍ପତ୍ତି ପାଇଁ ଜିଲ୍ଲା ପ୍ରଶାସନ ଦୁଇ ଥର ବୈଠକ ଡାକିଥିଲେ ମଧ୍ୟ କମ୍ପାନି ନ ଆସିବାରୁ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ବିସ୍ଥାପିତ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା ବୋଲି ପ୍ରକାଶ କରିଛନ୍ତି। ହେମଗିର ବ୍ଲକ୍‌ ସାନଘୁମୁଡ଼ା ବିସ୍ଥାପିତଙ୍କ ଅଭିଯୋଗ ଅନୁସାରେ, ନିୟମ ଅନୁଯାୟୀ ୧୮ ବର୍ଷରୁ ଉର୍ଦ୍ଧ୍ବ ପୁଅ, ଝିଅଙ୍କୁ ବିସ୍ଥାପିତ ପରିବାରର ମାନ୍ୟତା ଦେବାକୁ ଥିବାବେଳେ କମ୍ପାନି ତାକୁ ଏଡ଼ାଇ ଯାଇଛି।

ବିବାହିତା ମହିଳା, ଜଙ୍ଗଲ ଜମି ଅଧିକାର ପଟ୍ଟା ପାଇଥିବା ଗରିବ ବ୍ୟକ୍ତିଙ୍କୁ କ୍ଷତିପୂରଣ ନଦେବା, ବିସ୍ଥାପିତଙ୍କ ସ୍ଥାନାନ୍ତର ସମୟରେ ପରିବହନ ଖର୍ଚ୍ଚ ୫୦ ହଜାର ଟଙ୍କା ପରିବର୍ତ୍ତେ କିଛି ଚାଉଳ ଓ ରାସନ ସାମଗ୍ରୀ ଦିଆଯାଇଛି। ଏସବୁ ଅଭିଯୋଗ ନେଇ ବିସ୍ଥାପିତ ଅନେକବାର ଧାରଣା, ଆନ୍ଦୋଳନ କରିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ବିସ୍ଥାପିତ ଓ ଏସିପିଏଲ କମ୍ପାନି ସହ ତ୍ରିପାକ୍ଷିକ ଆଲୋଚନା ପାଇଁ ୨ ଥର ବୈଠକ ଡାକିଥିଲେ। କିନ୍ତୁ କମ୍ପାନି କର୍ତ୍ତୃପକ୍ଷ ନଆସିବାରୁ ବିସ୍ଥାପିତ ନଭେମ୍ବର ୨୮ ତାରିଖରେ ଖଣି ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ଦାବି ଉପ‌ରେ ବିସ୍ଥାପିତ, ଓସିପିଏଲ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ହେବ ଏବଂ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଯେଉଁଥିପାଇଁ ୨୮ ତାରିଖର ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ବିସ୍ଥାପିତ। କିନ୍ତୁ ‌ବୈଠକକୁ ଓସିପିଏଲ ନଆସିବାରୁ କମ୍ପାନିର ଆଭିମୁଖ୍ୟ ସ୍ପଷ୍ଟ ହୋଇଗଲା କହି ବିସ୍ଥାପିତ ଖଣି ବନ୍ଦ କରିଛନ୍ତି। ଦାବି ପୂରଣ ନେଇ ପଦକ୍ଷେପ ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର