ଜଗନ୍ନାଥ ସଡ଼କରେ ‘କାଦୁଅ ସତ୍ୟାଗ୍ରହ’

ବୌଦ୍ଧ/ଧଳପୁର: ଐତିହାସିକ ଜଗନ୍ନାଥ ସଡ଼କ ଉପରେ ସ୍ଥାନୀୟ ଯୁବକମାନେ ଜାତୀୟ ପତାକା ଧରି ଆରମ୍ଭ କରିଛନ୍ତି କାଦୁଅ ସତ୍ୟାଗ୍ରହ। ସମସ୍ତ ପ୍ରଶାସନିକ କଳ ନିକଟରେ ଅଭିଯୋଗ କରି ନିରାଶ ହେବାପରେ ଶେଷକୁ ସେମାନେ ଏଭଳି ଢଙ୍ଗରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଜଗନ୍ନାଥ ସଡ଼କରୁ ଧଳପୁର-ଆଠମଲ୍ଲିକ ସେତୁକୁ ସଂ​ଯୋଗ କରୁଥିବା ଆପ୍ରୋଚ୍ ରାସ୍ତା ପଙ୍କକାଦୁଅରେ ଏକପ୍ରକାର ଅଚଳ ହୋଇ ରହିଛି। ଗତ ଦୁଇ ଦିନରେ ତିନିଟି ଭାରୀଯାନ ଫସି ଦୀର୍ଘ ସମୟ ରାସ୍ତା ଅବରୋଧ ହୋଇ ରହିଥିଲା। କାଦୁଅ ଯୋଗୁଁ ଫୁଲବାଣୀ-କେନ୍ଦୁଝର ସରକାରୀ ବସ ଏହି ରୁଟ୍‌ରେ ଯାତାୟାତ ବନ୍ଦ କରିଛି। ଆଣ୍ଠୁଏ କାଦୁଅ ଅତିକ୍ରମ କରିବା ବେଳେ ବାଇକଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଛି। ଅଞ୍ଚଳ ଭିତରକୁ ଆମ୍ବୁଲାନ୍ସ ପଶି ପାରୁନାହିଁ। ମଙ୍ଗଳବାର ବାଇକରୁ ପଡ଼ି ଜଣେ ଗର୍ଭବତୀ ଗୁରୁତର ଆହତ ହୋଇ ଆଠମଲ୍ଲିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ରାସ୍ତା ଦୁରାବସ୍ଥା ନେଇ ବାରମ୍ବାର ଅଭିଯୋଗ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ସୁଦ୍ଧା ପ୍ରଶାସନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଶେଷରେ ସ୍ଥାନୀୟ ବିଜେପି ନେତା ଅରୂପ ଦୀପଙ୍କ ନେତୃତ୍ବରେ ଯୁବକମାନେ ‘କାଦୁଅ ସତ୍ୟାଗ୍ରହ’ କରିଛନ୍ତି। କାଦୁଅରେ ବସି ରହି ଜାତୀୟ ପତାକା ଧରି ପ୍ରତିବାଦ କରି ଧାନତଳି ଲଗାଇଛନ୍ତି। ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ସେମାନେ ଅନାହାରରେ ସତ୍ୟାଗ୍ରହ କରିବାକୁ ଘୋଷଣା କରିଛନ୍ତି। ପ୍ରାୟ ୩.୫ କିମି ଦୈର୍ଘ୍ୟବିଶିଷ୍ଟ ସୁଉଚ୍ଚ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ ପରେ ଉଭୟ ପଟର ଶାସକ ଦଳର ନେତାମାନେ ବାହାବା ନେଉଛନ୍ତି। ହେଲେ ସେତୁ ତଳେ ଥିବା ସ୍ଥାନୀୟ ଲୋକଙ୍କ ମୌଳିକ ଅଧିକାର ଓ ଐତିହାସିକ ଜଗନ୍ନାଥ ସଡ଼କ ପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରଙ୍କ ନଜର ନାହିଁ।

ମହାନଦୀରେ ବନ୍ୟା ସମୟରେ ଏହି ରାସ୍ତା ବୁଡ଼ି ରହିବାଯୋଗୁଁ ଠିକ୍ ସମୟରେ ଚିକିତ୍ସାସେବା ନ ପାଇ ବୁଲୁରା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ବନ୍ୟାଜଳ ଅପସରି ଯିବାପରେ ଏବେ ଅତ୍ୟଧିକ ପଙ୍କକାଦୁଅ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ସ୍ଥାନୀୟ ଯୁବମାନଙ୍କ ‘କାଦୁଅ ସତ୍ୟାଗ୍ରହ’ ଫଳପ୍ରଦ ହୋଇଥିବା ଜଣାପଡ଼ିଛି। କାରଣ ସେମାନେ ଦୀର୍ଘ ସମୟ କାଦୁଅରେ ବସି ରହିବାପରେ ପୂର୍ତ୍ତ ବିଭାଗ କର୍ମଚାରୀମାନେ ଜେସିବି ମେସିନ ଆଣି ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର