ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବି ଜୋର୍ ଧରିଲା: ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ

କୋଇଲା ପରିବହନ ଓ ଗାଡ଼ି ଚଳଚଳ ଠପ୍

ସୁନ୍ଦରଗଡ଼: ହେମଗିର ବ୍ଲକ୍ ବିଲେଇମୁଣ୍ଡାରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ, ଯୋଗୁଁ ଛତିଶଗଡ଼କୁ କୋଇଲା ପରିବହନ କରୁଥିବା ଶହଶହ ଟ୍ରକ ଅଟକି ରହିଛି। ଅପରାଧ କାର୍ଯ୍ୟକଳାପକୁ ନେଇ
ହେମଗିର ସୀମାନ୍ତ ଅଞ୍ଚଳ ଆତଙ୍କିତ।


କିଛି ଦିନ ତଳେ ବିଲେଇମୁଣ୍ଡାରେ ରହୁଥିବା ହେମଗିର ପଞ୍ଚାୟତସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଗୋପାଳ ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି ପରେ ଅଞ୍ଚଳବାସୀଙ୍କ ନିଦ ହଜିଯାଇଛି। ଅଞ୍ଚଳରେ କୋଇଲା ପରିବହନଜନିତ ଦୁର୍ଘଟଣା ସହ ଡକାୟତି, ଚୋରି ବୃଦ୍ଧି ପାଇଛି। ବିଶେଷ କରି ଅପରାଧ କାର୍ଯ୍ୟକଳାପରେ ସୀମାନ୍ତ ଛତିଶଗଡ଼ର ଅପରାଧୀମାନେ ସାମିଲ ରହୁଥିବା ଓ କାଣ୍ଡକାରଖାନା ଘଟାଇ ୨୦ କିଲୋମିଟର ଦୂର ହେମଗିର ଥାନାରୁ ପୁଲିସ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଉଛନ୍ତି। ଯାହା ଉଭୟ ପୁଲିସ ଓ ସାଧାରଣଜନତାଙ୍କୁ ଚିନ୍ତାରେ ପକାଇଛି। ଏହା ବ୍ୟତୀତ ଅଞ୍ଚଳରେ ବେଦାନ୍ତର ଜାମକାନି କୋଇଲା ଖଣି ଖୋଲା ଚାଲିଥିବା ଓ ଆଗକୁ ବହୁ କୋଇଲା ଖଣି ଖୋଲିବାକୁ ଥିବାରୁ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସହ କୋଇଲା ପରିବହନ ତଥା ବେପାରକୁ ନେଇ ଅପରାଧ ବଢ଼ିବା ନିଶ୍ଚିତ। ତେଣୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଏସବୁ ଆ‌ଇନଶୃଙ୍ଖଳା ଓ ଅପରାଧ ରୋକିବାକୁ ସୀମାନ୍ତରେ ନୂଆ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି।

ଏହିକ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଯୋଗେଶ କୁମାର ସିଂ ଅଞ୍ଚଳରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ସରକାରଙ୍କ ଆଗରେ ଦାବି ରଖିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ବିଲେଇମୁଣ୍ଡାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଜିର ଏ ବନ୍ଦ ପାଳନ ସହ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର