ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି କାରବାର: ଝାଡ଼ଖଣ୍ଡରେ ବିକ୍ରି ହେଉଛି ଓଡ଼ିଶା ଧାନ

ରାଉରକେଲା: ଆସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲାରେ ଅଧିକାଂଶ ବ୍ଲକରେ ଧାନମଣ୍ଡି ଖୋଲିବାକୁ ଯାଉଛି। ପ୍ରତ୍ୟେକ ମଣ୍ଡିକୁ ଟାର୍ଗେଟ ଦିଆସରିଛି। ଏହା ପୂର୍ବରୁ କିଛି ବ୍ଲକରେ ଚାଷୀମାନେ ଧାନ ବିକିବା ଆରମ୍ଭ କରି ଦେଇଛନ୍ତି। ତା’ପୁଣି ଓଡ଼ିଶା ବଜାରରେ ନୁହେଁ, ଝାଡ଼ଖଣ୍ଡରେ। ପ୍ରତିଦିନ ୪୫ରୁ ୫୦ ଟନ୍‌ ଧାନ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବ୍ଲକରୁ ଝାଡ଼ଖଣ୍ଡରେ ବିକ୍ରି ହେବାକୁ ଯାଉଛି। ପ୍ରତିବର୍ଷ ଟୋକ୍‌ନ ପାଉନଥିବା ଓ ଟୋକନ୍‌ ପାଇ ମଣ୍ଡିରେ ଧାନ ଦେଇପାରୁନଥିବା ଚାଷୀମାନେ ଏଭଳି ପନ୍ଥା ଆପଣାଇଛନ୍ତି। ଏବେ ଓଡ଼ିଶାର ମିଲର୍ସମାନେ ବିନା ଟୋକନ୍‌ରେ ଦଲାଲ୍‌ ଜରିଆରେ ଆସୁଥିବା ଧାନକୁ କ୍ବିଣ୍ଟାଲ ପିଛା ୧୭୫୦ରୁ ୧୮୦୦ ଟଙ୍କାରେ କିଣୁଛନ୍ତି। ଫଳରେ ଚାଷୀକୁ ୧୬୫୦ ଟଙ୍କାରେ ଦଲାଲ୍‌କୁ ଦେବାକୁ ପଡ଼ୁଛି। ହେଲେ ଝାଡ଼ଖଣ୍ଡର ମିଲର୍ସମାନେ କ୍ବିଣ୍ଟାଲ ପିଛା ୧୯୮୦ରୁ ୨୦୫୦ ଟଙ୍କାରେ କିଣୁଛନ୍ତି। ଓଡ଼ିଶା ଓ ଝାଡ଼ଖଣ୍ଡର ଦଲାଲମାନେ ସେହି ଧାନକୁ ଓଡ଼ିଶାରୁ କ୍ବିଣ୍ଟାଲ ପିଛା ୧୮୫୦ ଟଙ୍କାରେ ଚା‌ଷୀମାନଙ୍କଠୁ କିଣୁଛନ୍ତି। ଝାଡ଼ଖଣ୍ଡରେ କ୍ବିଣ୍ଟାଲ ପ୍ରତି ଦର ଅଧିକ ଥିବାରୁ ଚାଷୀମାନେ ଓଡ଼ିଶାର ମିଲର୍ସମାନଙ୍କୁ ବିକିବାକୁ ଅରାଜି ହେଉଛନ୍ତି। ଝାଡ଼ଖଣ୍ଡର ଦଲାଲମାନଙ୍କୁ କ୍ବିଣ୍ଟାଲ ପିଛା ୧୮୫୦ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରତିଦିନ ନୂଆଗାଁର ୨୦ଟି ପଞ୍ଚାୟତମଧ୍ୟରୁ ୧୫ରୁ ଅଧିକ ପଞ୍ଚାୟତରୁ ଝାଡ଼ଖଣ୍ଡୀ ଦଲାଲମାନେ ଧାନ କିଣି ଗଚ୍ଛିତ ରଖୁଛନ୍ତି। ପରେ ଟ୍ରକରେ ବୋଝେଇ କରି ଝାଡ଼ଖଣ୍ଡ ଚାଲାଣ କରୁଛନ୍ତି। ସୀମାନ୍ତ ବ୍ଲକର ଚାଷୀମାନଙ୍କୁ ଝାଡ଼ଖଣ୍ଡ ଦଲାଲମାନେ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଏଭଳି ବେଆଇନ କାମ କରୁଛନ୍ତି।

କେବଳ ନୂଆଗାଁ ନୁହେଁ, ବିଶ୍ରା ଓ କୁଆରମୁଣ୍ଡା ବ୍ଲକର କିଛି ପଞ୍ଚାୟତରେ ମଧ୍ୟ ଏହିକାରବାର ଚାଲିଛି। ଦୈନିକ ୪୫ରୁ ୫୦ ଟନ୍‌ ଧାନ ନୂଆଗାଁ-ସୋରଡ଼ା ରାସ୍ତା ଦେଇ ଝାଡ଼ଖଣ୍ଡ ଯାଉଛି। ଝାଡ଼ଖଣ୍ଡ ରାଞ୍ଚିସ୍ଥ ନଗାଡ଼ି, ବିନ୍‌ଗାଁ ଅଞ୍ଚଳରେ ଥିବା ମିଲର୍ସମାନଙ୍କ ଗୋଦାମରେ ପହଞ୍ଚୁଛି। ଧରାପଡ଼ିବା ଭୟରେ ଧାନବୋଝେଇ ଟ୍ରକ ବିଳମ୍ବିତ ରାତିରେ ସୋରଡ଼ାରୁ ହୁର୍ଦ୍ଦା ରାସ୍ତାଦେଇ ଝାଡ଼ଖଣ୍ଡ ରାଜ୍ୟକୁ ପ୍ରବେଶ କରୁଛି। ସେଠାରୁ ରାଞ୍ଚି ନିକଟସ୍ଥ ମିଲର୍ସମାନଙ୍କ ଗୋଦାମରେ ପହଞ୍ଚୁଛି। ଟୋକନ୍‌ ପାଉନଥିବା ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ଠାରୁ କମ୍‌ ଥିଲେ ହେଁ ଝାଡ଼ଖଣ୍ଡ ମିଲର୍ସମାନଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଯଦି ଏବେଠୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ଓଡ଼ିଶା ଧାନକୁ ରୋକା ନଯାଏ, ତାହେଲେଲ୍ୟାମ୍ପସଗୁଡ଼ିକୁ ଟାର୍ଗେଟ ପୂରଣ କରିବାରେ ସମସ୍ୟା ସୃଷ୍ଟି ହେବ। ଗୋଟିଏ କି ଦୁଇଟି ନୁହେଁ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ବିଶ୍ରା, ହାତୀବାରି, ନୂଆଗାଁ ଓ ରାଏବୋଗା ଲ୍ୟାମ୍ପସ୍‌ ଅନ୍ତର୍ଗତ ମଣ୍ଡିଗୁଡ଼ିକୁ ଦିଆଯାଇଥିବା ଟାର୍ଗେଟ ପୂରଣ ହେବାନେଇ ଅନିଶ୍ଚିତତା ଦେଖାଦେଇଛି।

ଉଲ୍ଳେଖଯୋଗ୍ୟ, ଗତ ବର୍ଷ ନୂଆଗାଁ ଲ୍ୟାମ୍ପସ୍‌ ଜରିଆରେ ପ୍ରାୟ ୨୮ ହଜାର କ୍ବିଣ୍ଟାଲ ଧାନ କିଣା ହୋଇଥିଲା। ଚଳିତଥର ୩୦ ହଜାର କ୍ବିଣ୍ଟାଲଧାନ କିଣିବାକୁ ଟାର୍ଗେଟ ରଖାଯାଇଛି। କୁଆରମୁଣ୍ଡା ଲ୍ୟାମ୍ପସ୍‌ ଗତବର୍ଷ ୨୮ ହଜାର ୨୩ କ୍ବିଣ୍ଟାଲରୁ ଅଧିକ ଧାନ କିଣିଥିଲା। ଏଥର ଟାର୍ଗେଟ ରହିଛି ୨୮ ହଜାର କ୍ବିଣ୍ଟାଲ। ବିଶ୍ରା ଲ୍ୟାମ୍ପସର କେବଳ ଜରେଇକେଲାରୁ ଗତବର୍ଷ ୩୨୬୦ କ୍ବିଣ୍ଟାଲ କିଣାଯାଇଥିଲା। ଚଳିତଥର ଗତବର୍ଷ ଠାରୁ ଅଧିକ ଟାର୍ଗେଟ ନିଆଯାଇଛି। କୁଆରମୁଣ୍ଡା, ହାତୀବାରି, ସୋରଡା, ନୂଆଗାଁ, ବିଶ୍ରା ନୁହେଁ ଜିଲ୍ଲାର ଅନ୍ୟ କିଛି ଲ୍ୟାମ୍ପସ୍‌ରେ ଦଲାଲମାନେ ଏମିତି ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ଧାନକୁ ରୋକା ନଗଲେ କେବଳ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିବ ତା’ନୁହେଁ, ଲ୍ୟାମ୍ପସଗୁଡ଼ିକ ମଧ୍ୟ ଲକ୍ଷ୍ୟଠାରୁ ଦୂରରେ ରହି​ଯିବେ।

ସମ୍ବନ୍ଧିତ ଖବର