ରାଷ୍ଟ୍ରକୁ କ୍ଷମା ମାଗନ୍ତୁ: ‘ଆଦିପୁରୁଷ’ ନିର୍ମାତାଙ୍କୁ କହିଲେ ‘ଟିମ୍‌ ଉଦ୍ଧବ’ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ଇତରଜନଙ୍କ ସଂଳାପ ବ୍ୟବହାର କରିଥିବା ଅଭିଯୋଗ କରି ଆଜି ଶିବସେନା (ଟିମ୍‌ ଉଦ୍ଧବ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାହାର ନିର୍ମାତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଏହି ଚଳଚ୍ଚିତ୍ର ନିର୍ମାତାଙ୍କୁ କ୍ଷମାଭିକ୍ଷା କରିବାକୁ କହି ସେ କହିଛନ୍ତି ଯେ, ହିନ୍ଦୁ ମହାକାବ୍ୟ ‘ରାମାୟଣ’ର ଚରିତ୍ରମାନଙ୍କ ପ୍ରତି ଏହି ସଂଳାପ ସବୁ ଅସମ୍ମାନଜନକ।

ଟୁଇଟ୍‌ କରି ଚତୁର୍ବେଦୀ ଲେଖିଛନ୍ତି, ଏହି ଚଳଚ୍ଚିତ୍ର, ବିଶେଷକରି ପ୍ରଭୁ ହନୁମାନଙ୍କ ପାଇଁ ଇତରଜନଙ୍କ ସଂଳାପ ବା ଭାଷା ଲେଖିଥିବାରୁ ‘ଆଦିପୁରଷ’ର ସଂଳାପ ଲେଖକ ମନୋଜ ମୁନ୍ତାଶିର ତଥା ନିର୍ଦେଶକ ରାଷ୍ଟ୍ରକୁ କ୍ଷମାଭିକ୍ଷା କରିବା ଉଚିତ।

Image Courtesy of NDTV

ସେ ଆହୁରି ମଧ୍ୟ ଲେଖିଛନ୍ତି, ମନୋରଞ୍ଜନ ନାଁରେ ଆମର ପରମପୂଜ୍ୟ ଦେବତାମାନଙ୍କ କ୍ଷେତ୍ରରେ ଏଭଳି ଭାଷା ପ୍ରୟୋଗ ହୋଇଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ଭାବାବେଗକୁ ବାଧିବ। ଆପଣମାନ‌େ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଇ ତୁରନ୍ତ ‘ବକ୍ସ୍‌ ଅଫିସ୍‌’ ସଫଳତା ପାଇବା ନିମନ୍ତେ ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଏହି ପୌରାଣିକ ‘ଆକ୍ସନ୍‌’ ଚଳଚ୍ଚିତ୍ର ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କିଛି ସମୟ ପରେ ଏଥିରେ ଥିବା ନିମ୍ନଧରଣର ‘ଭିଜୁଆଲ୍‌ ଇଫେକ୍ଟ’ ଏବଂ ସଂଳାପକୁ ସାମାଜିକ ଗଣମାଧ୍ୟମରେ କଟୂ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର