‘୯ମାସର ଅନ୍ତସତ୍ତ୍ବା ଥିବା ବେଳେ ମୋ ସ୍ତ୍ରୀ ଜଳମଗ୍ନ ହୋଇଥିବା କାରରେ ଫସିଯାଇଥିଲେ’: ଆର ମାଧବନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆର ମାଧବନ ସାଉଥରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଅନେକ ସିନେମାରେ କାମ କରିଛନ୍ତି। ନିକଟରେ ନେଟଫ୍ଲିକ୍ସରେ ମାଧବନଙ୍କ  ସିରିଜ ‘ଦ ରେଲୱେ ମେନ’ ରିଲିଜ ହୋଇଛି। ଏହି ୱେବସିରିଜର ପୁରା ନାମ ହେଉଛି ‘ରେଲୱେ ମ୍ୟାନ୍ – ଭୋପାଳ ୧୯୮୪ ଅନଟୋଲ୍ଡ ଷ୍ଟୋରୀ’ ।

ଏହି ୱେବ୍ ସିରିଜଟି ମର୍ମନ୍ତୁଦ ଭୋପାଳ ଗ୍ଯାସ ଦୁର୍ଘଟଣା ଉପରେ ଆଧାରିତ ।  ଭୋପାଳ ଗ୍ଯାସ ଦୁର୍ଘଟଣାରେ ଯେଉଁମାନେ ଲୋକମାନଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ନେଇ ସିରିଜଟି ନିର୍ମିତ ହୋଇଛି।

ଏହି ସିରିଜରେ କାମ କରିବାକୁ ନେଇ ଆର ମାଧବନ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ ମୁଁ ଏହି ସିରିଜରେ ରତି ପାଣ୍ଡେ ନାମକ ଭୂମିକାରେ ଅଭିନୟ କରିଥିଲି। ରତି ଅଜଣା ଲୋକଙ୍କ ସାହାଯ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା। ଭୋପାଳରେ ଘଟିଥିବା ଏହି ଗ୍ୟାସ ଟ୍ରାଜେଡି ଏତେ ଭୟାବହ ଥିଲା କି ଲୋକେ ସେଥିରୁ ଏଯାବତ ବି ବାହାରି ପାରି ନାହାନ୍ତି।

ଏକ୍ରମରେ ମୋର ଏକ ବ୍ୟକ୍ତିଗତ କଥା ମନେ ପଡ଼ୁଛି। ୨୦୦୫ରେ ମୁମ୍ବାଇରେ ବାଦଲଫଟା ବର୍ଷା ହୋଇଥିଲା। ଚାରିଆଡେ ପାଣି ଭରି ଯାଇଥିଲା। ଏହି ସମୟରେ ମୋର ୯ମାସର ଅନ୍ତସତ୍ତ୍ବା ସ୍ତ୍ରୀ ଉକ୍ତ ଜଳବନ୍ଦୀରେ କାର ଭିତରେ ଫସି ଯାଇଥିଲେ।

ଏହି ସମୟରେ ମୁଁ ଚିହ୍ନି ନଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଆଉ କାର ଭିତରେ ଜଣେ ଅନ୍ତସତ୍ତ୍ବା ଥିବା ଜାଣି କାର ସହିତ ମୋ ସ୍ତ୍ରୀଙ୍କୁ ଜଳବନ୍ଦୀରୁ ବାହାର କରି ଉଚ୍ଚସ୍ଥାନକୁ ଟେକି ନେଇ ଯାଇଥିଲେ। ଯାହାଫଳରେ ମୋର ସ୍ତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା।

ସେମାନଙ୍କ ଋଣ ମୁଁ ଆଜିଯାଏଁ ଭୁଲି ପାରିବି ନାହିଁ। ଅସୁବିଧା ସମୟରେ ନିଜ ଲୋକ ଅପେକ୍ଷା ଅଜଣାଲୋକ ଅଧିକ ସାହାଯ୍ୟ କରିଥାଆନ୍ତି। ସେହିପରି ଭୋପାଳ ଗ୍ୟାସ ଟ୍ରାଜେଡି ସମୟରେ ଲୋକଙ୍କୁ ଉଦ୍ଧାର ପାଇଁ ଅନେକ ଅଜଣା‌ଲୋକ ଧାଇଁ ଆସିଥିଲେ।

ସମ୍ବନ୍ଧିତ ଖବର