କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିର କଟାକ୍ଷ ‘ରାହୁଲ ଡରିଗଲେ’

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୩୯ ଜଣଙ୍କ ନାମ ରହିଛି | ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ମୁତାବକ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ଼ ଲୋକସଭା ଆସନରୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି | ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଛତିଶଗଡରୁ ୬ ଏବଂ କର୍ଣ୍ଣାଟକରୁ ୮, କେରଳରୁ ୧୬ ଏବଂ ତେଲେଙ୍ଗାନାରୁ ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ କଂଗ୍ରେସର ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ବିଜେପି ଆଇଟି ଅଧ୍ୟକ୍ଷ ଅମିତ ମାଲଭିୟ କହିଛନ୍ତି ଯେ, ପୃଥକ ଦକ୍ଷିଣ ଭାରତ ଦାବି କରୁଥିବା କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶଙ୍କୁ ପୁଣିଥରେ ବେଙ୍ଗାଲୁରୁରୁ ଟିକେଟ ଦିଆଯାଇଛି।

ଭାରତକୁ ବିଭାଜନ କରିବା କଂଗ୍ରେସର ଅଧୁରା ଏଜେଣ୍ଡା ଥିବାବେଳେ ସେଥିରୁ ସାବଧାନ ରୁହନ୍ତୁ | ସେହିପରି ତାଲିକାରେ ରାହୁଲ ପୁଣି ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ନେଇ ସେ ଟ୍ୱିଟରରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବେ ନାହିଁ କାରଣ ସେ ଭୟଭୀତ ଅଛନ୍ତି । ଉଲ୍ଲେଖ ଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଲୋକସଭା ନିର୍ବାଚନ କେରଳର ୱାୟନାଡ଼ରୁ ଲଢ଼ିବାକୁ କଂଗ୍ରେସ ସ୍କ୍ରିନିଂ କମିଟି ରାହୁଲଙ୍କୁ ପ୍ରସ୍ତାବ ଦେଇଥିଲା | ଗତ ଲୋକସଭା ନିର୍ବାଚନରେ ରାହୁଲ ଆମେଠି ଏବଂ ୱାୟନାଡ଼ ଉଭୟ ଆସନରୁ ଲଢ଼ିଥିଲେ। ଆମେଠିରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ରାହୁଲ ପରାଜିତ ହୋଇଥିବା ବେଳେ ତାଙ୍କୁ ପରମ୍ପରାଗତ ଆସନ ହରାଇବାକୁ ପଡ଼ିଥିଲା। ଏଥର ଉତ୍ତରପ୍ରଦେଶରେ ଦଳର ଦୁର୍ଗ ସୁଦୃଢ଼ କରିବାକୁ ରାହୁଲ ଆମେଠିରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଗତ ନିର୍ବାଚନରେ ରାହୁଲଙ୍କୁ ୱାୟନାଡ଼ରେ ବିପୁଳ ଜନସମର୍ଥନ ମିଳିଥିବାରୁ ରାହୁଲ ସେଠାରୁ ହିଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର