ଆଉ ଦୁଇଦିନ ପରେ ଶେଷ ହେବ ଲକଡାଉନ ଅବଧି, ମୋଦୀଙ୍କୁ ଭେଟିଲେ ଅମିତ ଶାହା, ପିୟୁଷ ଗୋଏଲ

ନୂଆଦିଲ୍ଲୀ : ଆଉ ମାତ୍ର ୨ ଦିନ ପରେ ଅର୍ଥାତ ମେ ୩ରେ ଦେଶରେ ଲକଡାଉନ ଅବଧି ସମାପ୍ତ ହେଉଛି । ଏହା ପରେ ଅବଧି ବଢିବ କିମ୍ବା ଶେଷ ହେବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । ତେବେ ଆଜି ସଂଧ୍ୟାସୁଦ୍ଧା ଏ ସଂପର୍କରେ କୌଣସି ଘୋଷଣା ହେବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କୁ ଭେଟି ଆଲୋଚନା କରିଛନ୍ତି । ଲକଡାଉନ ସଂପର୍କରେ ପରବର୍ତ୍ତି କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିବା ଅନୁମାନ କରାଯାଉଛି ।

ଗତକାଲି ଅର୍ଥାତ ଗୁରୁବାରଦିନ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ । ଲକଡାଉନ ଶେଷ ହେବା ପରେ ଦେଶର ଶିଳ୍ପସଂସ୍ଥାମାନଙ୍କ ଅବସ୍ଥାରେ ସୁଧାର ଆଣିବାକୁ ପ୍ୟାକେଜ ସଂପର୍କରେ ଏଥିରେ ଆଲୋଚନା ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥାମାନେ ଚୀନରୁ ମୁହଁ ଫେରାଉଥିବାରୁ ସେମାନଙ୍କୁ କିପରୁ ଭାରତକୁ ଆକର୍ଷିତ କରିହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର