ସମୁଦ୍ରକୁ ଫେରି ପାରୁନି ବେଳାଭୂମିକୁ ଉଠି ଆସିଥିବା ୪୦ ଫୁଟ୍‌ ଲମ୍ବ ନୀଳତିମି ଛୁଆ

ରତ୍ନଗିରି: ମହାରାଷ୍ଟ୍ର ଅନ୍ତର୍ଗତ ସମୁଦ୍ର ବେଳାଭୂମିରେ ଫସି ରହିଥିବା ଗୋଟାଏ ୪୦ ଫୁଟିଆ ନୀଳତିମି ଛୁଆ ଆଉ ସମୁଦ୍ର ଭିତରକୁ ଫେରି ପାରୁ ନାହିଁ ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ରାଜ୍ୟର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ ସମୁଦ୍ର ବେଳାଭୂମିକୁ ଉକ୍ତ ନୀଳତିମି ଛୁଆଟି ଉଠି ଆସିଥିଲା। ତା’ର ଜୀବନ ରକ୍ଷା କରିବା ଲାଗି ପୁଣି ସମୁଦ୍ର ଭିତରେ ଛାଡ଼ିବା ଲାଗି ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀମାନେ ମିଶି ତାକୁ ଅନେକ ଠେଲା ଠେଲି କରି ମଧ୍ୟ ବିଫଳ ହୋଇଥିଲେ।

ସମସ୍ତ ଚେଷ୍ଟା ବିଫଳ ହେବାରୁ ସେମାନେ ଭାରତୀୟ ନୌସେନାର ସହଯୋଗ ଲୋଡ଼ିଲେ। ନୀଳତିମି ଛୁଆକୁ ଉଦ୍ଧାର କରିବା ଲାଗି ସନ୍ଧ୍ୟା ସୁଦ୍ଧା ନୌସେନାର ଏକ ହେଲିକପ୍ଟର୍‌ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ହେଲିକପ୍ଟର୍‌ଦ୍ବାରା ତିମିଛୁଆକୁ ଉଠାଇ ସମୁଦ୍ରରେ ଛାଡ଼ି ଦେଇ ହେବ ବୋଲି ମନେ ‌ହେଉଛି।

Image Courtesy of Homegrown

ଉଲ୍ଲେଖଯୋଗ୍ୟ, ନୀଳତିମି ହେଉଛି ବିଶ୍ବରେ ସବୁଠୁ ବଡ଼ ପ୍ରାଣୀ ଯିଏ ୯୦ ଫୁଟ୍‌ ଲମ୍ବ ପର୍ଯ୍ୟନ୍ତ ବଢ଼ି ପାରେ।

ଚଳିତ ବର୍ଷ ଅନେକ ତିମି ସମୁଦ୍ର ବେଳାଭୂମିକୁ ଉଠିଆସିଥିବା ରିପୋର୍ଟ ହୋଇଛି। ଗତ ଅଗଷ୍ଟ ମାସରେ ଦୁଇ ଦିନରେ ଦୁଇ ଥର ଗୁଜାରାଟର ସୁରତ ବେଳାଭୂମି ଉପରକୁ ଉଠି ଆସି ଲାଗିଯିବାରୁ ଗୋଟାଏ ‘ବ୍ରାଇଡ୍‌ସ୍‌’ ତିମିଛୁଆର ମୃତ୍ୟୁ ଘଟିଥିଲା। ତାକୁ ଉଦ୍ଧାର କରି ପୁଣି ପାଣିରେ ଛାଡ଼ିବା ଲାଗି କରାଯାଇଥିବା ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଉପରୋକ୍ତ ଘଟଣାର ୧ ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ସମୁଦ୍ର ବେଳାଭୂମି ଉପରକୁ ଗୋଟାଏ ନୀଳତିମି ଉଠି ଆସିଥିଲା। ୨୫ ଫୁଟ୍‌ ଦୀର୍ଘ ଉକ୍ତ ତିମିର ଓଜନା ୫ ଟନ୍‌ ଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲେ।

ସମ୍ବନ୍ଧିତ ଖବର