ବୀରଭୂମ ହିଂସା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ରାଜ୍ୟସଭାରେ କାନ୍ଦିଲେ ରୂପା ଗାଙ୍ଗୁଲି

ତଦନ୍ତ ପାଇଁ ରାଜ୍ୟ ପୁଲିସକୁ ଅନୁପଯୁକ୍ତ ଦର୍ଶାଇଲେ
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଗ୍ରାମବାସୀ ଫେରୁନାହାନ୍ତି

କୋଲକାତା : କାଲ୍‌କାଟା ହାଇକୋର୍ଟ ଶୁକ୍ରବାର ଦିନ ବୀରଭୂମ ଜିଲ୍ଲାରେ ହୋଇଥିବା ହିଂସା ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ମାମଲାର ତଦନ୍ତ କରି ଏପ୍ରିଲ ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ତଦନ୍ତରେ ରାଜ୍ୟ ପୁଲିସ ବିଫଳ ହୋଇଛନ୍ତି ଏବଂ ଯେଉଁଭଳି ଭାବେ ତଦନ୍ତ ଚାଲିଥିଲା ତାହା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମମତା ସରକାର ପାଇଁ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।

ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ବିଚାରପତି ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ପୀଡ଼ିତ ପରିବାରକୁ ନ୍ୟାୟ ଦେବା ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଖଣ୍ଡପୀଠ କହିଛନ୍ତି, ଯେଭଳି ଭାବେ ତଥ୍ୟ ପ୍ରମାଣ ଏବଂ ତଦନ୍ତର ଅଗ୍ରଗତି ବାବଦରେ ଅଦାଲତରେ ଉପସ୍ଥାପନ କରାଯାଇଛି ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ ଏବଂ ଏଥିରେ ପାରଦର୍ଶିତାର ଅଭାବ ରହିଛି। ରାଜ୍ୟ ପୁଲିସ ଏହି ମାମଲାର ସଠିକ୍‌ ତଦନ୍ତ କରିପାରିବ ବୋଲି ଆମେ ଅନୁଭବ କରୁନାହୁଁ ବୋଲି ଖଣ୍ଡପୀଠ କହିଛନ୍ତି। ତଦନ୍ତରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭ ତାରିଖରେ ହେବ। ହିଂସାଗ୍ରସ୍ତ ରାମପୁରହାଟ ଅଂଚଳରେ ଏବେ ବି ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ସତ୍ତ୍ବେ ଗ୍ରାମବାସୀ ବଗଟୁଇ ଗାଁକୁ ଫେରୁ ନାହାନ୍ତି ଏବଂ ବାହାରେ ଏଣେତେଣେ ରହିଛନ୍ତି।

ରାଜ୍ୟସଭାରେ କାନ୍ଦିଲେ ରୂପା ଗାଙ୍ଗୁଲି
ନୂଆଦିଲ୍ଲୀ : ଶୁକ୍ରବାର ଦିନ ରାଜ୍ୟସଭାରେ ବୀରଭୂମ ହିଂସାକୁ ନେଇ ବିଜେପି ସାଂସଦ ରୂପା ଗାଙ୍ଗୁଲି କାନ୍ଦି ପକାଇଥିଲେ। ଏନ୍‌ଡିଏର ଅନେକ ସାଂସଦ ମଧ୍ୟ ଗାଙ୍ଗୁଲିଙ୍କ ସମର୍ଥନରେ ବାହାରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପକ୍ଷପାତପୂର୍ଣ୍ଣ ନୀତିକୁ ସମାଲୋଚନା କରିଥିଲେ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କୁ ଟାର୍ଗେଟ କରି ବିଜେପି ସାଂସଦମାନେ ହଟ୍ଟଗୋଳ କରିଥିଲେ। ଆଜି ଶୂନ୍ୟକାଳରେ ବୀରଭୂମ ହିଂସା ପ୍ରସଙ୍ଗ ଉଠାଇ ଗାଙ୍ଗୁଲି କହିଥିଲେ ଯେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନାହାଁନ୍ତି ଏବଂ ଅତି ନିଷ୍ଠୁରତାର ସହ ଅସହାୟ ଲୋକଙ୍କୁ ହତ୍ୟା କରାଯାଉଛି। ପଶ୍ଚିମବଙ୍ଗରେ ଘଟୁଥିବା ରାଜନୈତିକ ହତ୍ୟାକାଣ୍ଡ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବିଜେପି ସାଂସଦମାନେ ଦାବି କରିଥିଲେ। ଟିଏମ୍‌ସି ସାଂସଦମାନେ ଏଭଳି ଦାବିକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ।

ସମ୍ବନ୍ଧିତ ଖବର