ଡେରାଡୁନ୍: ଅଙ୍କିତା ଭଣ୍ଡାରୀ ରିସେପ୍ସନିଷ୍ଟ୍ ଥିବା ରିସର୍ଟର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି ବୋଲି ଆଜି ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ର (ଏସ୍ଆଇଟି) ମୁଖ୍ୟ କହିଛନ୍ତି।
ଗଣମାଧ୍ୟମକୁ ‘ଏସ୍ଆଇଟି’ର ମୁଖ୍ୟ ତଥା ‘ଡିଆଇଜି’ ପି.ଆର୍. ଦେବୀ କହିଛନ୍ତି ଯେ, ସେମାନେ ସମସ୍ତଙ୍କ ବୟାନ ରେକର୍ଡ କରୁଛନ୍ତି ଓ ରିସର୍ଟର ପୃଷ୍ଠଭୂମି ଉପରେ ପୂର୍ଣ୍ଣ ତଦନ୍ତ ଚଳାଇଛନ୍ତି। ଏ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ, ସନ୍ଧ୍ୟାସୁଦ୍ଧା ମିଳିଯିବ ବୋଲି ଆଶା କରୁଛୁ।
ଅଙ୍କିତାଙ୍କ ଶବ ହସ୍ତାନ୍ତର କରାଯାଇଥିଲେ ବି ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରା ନ ଯିବା ପର୍ଯ୍ୟନ୍ତ ଶବ ସଂସ୍କାର କରିବେ ନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଫାଷ୍ଟ୍-ଟ୍ରାକ୍ କୋର୍ଟରେ ମାମଲା ଶୁଣାଣି କରାଯିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଅଙ୍କିତାଙ୍କ ଭାଇ ଅଜୟ ଭଣ୍ଡାରୀ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆ ନ ଯିବା ପର୍ଯ୍ୟନ୍ତ ଆମେ ତା’ର ଶେଷକୃତ୍ୟ କରିବୁ ନାହିଁ। ତା’ର ପ୍ରେଭିଜିନାଲ୍ ରିପୋର୍ଟରୁ ଜାଣିଲୁ ଯେ, ତାକୁ ମାରଧର କରି ନଦୀକୁ ଫିଙ୍ଗି ଦିଆାଯାଇଥିଲା। କିନ୍ତୁ, ଆମେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ।
ରିସର୍ଟ ଭଙ୍ଗାଯିବା ଘଟଣାରେ ସନ୍ଦେହ ପ୍ରକାଶ କରି ଅଙ୍କିତାଙ୍କ ବାପା କହିଛନ୍ତି, ହତ୍ୟାକାଣ୍ଡର ପ୍ରମାଣ ଥିବା ରିସର୍ଟକୁ କାହିଁକି ଭାଙ୍ଗି ଦିଆଗଲା?