ବିପତ୍ତି ବେଳର ବିଡ଼ମ୍ବନା, ଦୁର୍ଘଟଣାରେ ୮ ପ୍ରବାସୀ ଓଡ଼ିଆ ଆହତ

ଠାକୁରଗଡ଼/ପାଇକସାହି: ଲକ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ଥିବା ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଗତକାଲି ରାତିରେ ଏହିଭଳି ଅନୁଗୁଳ ଜିଲ୍ଲାର ୧୫ ଜଣ ବ୍ୟକ୍ତିଙ୍କୁ ନେଇ ଆସୁଥିବା ଏକ ମିନି ୱିଙ୍ଗର ଗାଡ଼ି (ଓଡି୩୫ବି-୫୩୧୮) ଠାକୁରଗଡ଼ ଥାନା ଷୋଳପଦା କ‌ଲେଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ବ୍ୟକ୍ତିମାନେ ଆନ୍ଧ୍ରପ୍ରଦେଶରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଚାଲି ଚାଲି ଆସି ବୌଦ୍ଧରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହି ମିନି ୱିଙ୍ଗର୍‌ରେ ଅନୁଗୁଳ ପଠାଯାଇଥିଲା। ରାତି ପ୍ରାୟ ୧ଟାବେଳେ ଷୋଳପଦା କଲେଜ ନିକଟରେ ଗାଡ଼ିଟି ଏକ ଗଛ ସହ ଧକ୍କା ହୋଇଥିଲା। ଫଳରେ ଗାଡ଼ି ଚାଳକଙ୍କ ସମେତ ୮ ଜଣ ଆହତ ହୋଇଥି‌ଲେ। ସେମାନଙ୍କ ମଧ୍ୟରୁ ପୁରୁଣାକୋଟ ଥାନା ପୁରୁଣାକୋଟ ଗାଁର ପ୍ରଶାନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଠାକୁରଗଡ଼ ‘ୟୁଥ୍‌ ପାୱାର ସଂଘ’ର ସଦସ୍ୟମାନେ ପହଞ୍ଚି ଆହତମାନଙ୍କୁ ପାଣି ପିଇବାକୁ ଦେବା ସହ ବ୍ୟାଣ୍ଡେଜ୍‌ କରିଥିଲେ। ଗାଡ଼ି ଚାଳକ ତାଳଚେର ଥାନା ବଳଙ୍ଗ ଗାଁର ଦୁଷ୍ମନ୍ତ ସାହୁ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବସ୍‌ ଆସି ସମସ୍ତ ଯାତ୍ରୀଙ୍କୁ ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ହାତଟଣାଗାଡ଼ିରେ ଗର୍ଭବତୀ ପତ୍ନୀ, ଝିଅକୁ ଧରି ୭୦୦ କିମି
ଭୋପାଳ : ମଧ୍ୟପ୍ରଦେଶର ରାମୁ। ହାଇଦ୍ରାବାଦ୍‌ରେ କାମ କରୁଥିଲେ। ଲକ୍‌ଡାଉନ୍‌ରେ ସେ ବେରୋଜଗାର ହୋଇ ବେକାର ବସିବା ଚିନ୍ତାରେ ପଡ଼ି ସେ ନିଜ ଘରକୁ ଫେରିବାର ନିଷ୍ପତ୍ତି ନେଲେ। ରାମୁ ତାଙ୍କ ଗର୍ଭବତୀ ପତ୍ନୀ ଧନୱନ୍ତା ଓ ଝିଅ ଅନୁରାଗିଣୀଙ୍କୁ ଧରି ହାଇଦ୍ରାବାଦ୍‌ରୁ ମଧ୍ୟପ୍ରଦେଶର ବଲଘାଟ୍‌ ଜିଲ୍ଲା ଅଧୀନସ୍ଥ ତାଙ୍କ ଗ୍ରାମକୁ ଚାଲି ଚାଲି ଯାତ୍ରା କରିଥିଲେ। ଝିଅକୁ କାଖେଇ କିଛି ବାଟ ଚାଲିବା ପରେ ରାମୁ ଥକି ପଡ଼ିଲେ। ପତ୍ନୀ ୮ ମାସର ଗର୍ଭବତୀ। ତେଣୁ ସେ ମଧ୍ୟ ଚାଲିବାପାଇଁ ଅସମର୍ଥ ହୋଇପଡ଼ିଲେ। ଶେଷର ରାମୁ ବାଟରେ ଜଙ୍ଗଲରୁ କାଠ ଏବଂ ବାଡ଼ି ସଂଗ୍ରହ କରି ଏକ ଟଣାଗାଡ଼ି ତିଆରି ‌କଲେ। ଟଣାଗାଡ଼ିରେ ପତ୍ନୀ ଓ ଝିଅକୁ ବସାଇ ରାମୁ ପ୍ରାୟ ୭୦୦ କିମି ବାଟ ସେମାନଙ୍କୁ ହାତରେ ଟାଣି ଯାତ୍ରା ଚାଲିଥିଲେ। କାଠଗାଡ଼ିରେ ରାମୁ ପତ୍ନୀ ଏବଂ ଝିଅକୁ ବସାଇ ଟାଣୁଥିବାର ଫଟୋ ଭାଇରାଲ୍‌ ହୋଇଛି। ରାମୁ କହିଛନ୍ତି, ପ୍ରଥମେ ସେ ତାଙ୍କ ଝିଅକୁ ଧରି ଚାଲିଥିଲେ। କିନ୍ତୁ ଗର୍ଭବତୀ ପତ୍ନୀଙ୍କୁ ଧରି ସାରାବାଟ ଚାଲିବା ଖୁବ୍‌ କଷ୍ଟଦାୟକ ଜାଣିବା ପରେ ସେ ହାତ ଟଣାଗାଡ଼ି ତିଆରି କରିଥିଲେ। ତେବେ ରାମୁ ତାଙ୍କ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ପ୍ରବେଶ କରିବା ପରେ ଉପଖଣ୍ଡ ପୁଲିସ ଅଧିକାରୀ ନିତେଶ ଭାର୍ଗବଙ୍କ ନେତୃତ୍ବ‌ରେ ଏକ ପୁଲିସ ଟିମ୍‌ ତାଙ୍କୁ ଖାଦ୍ୟ ଦେଇଥିଲେ। ରାମୁଙ୍କ ଝିଅକୁ ମଧ୍ୟ ପୁଲିସ ସ୍ଲିପର ପିନ୍ଧିବାକୁ ଦେଇଥିଲା। ପୁଲିସ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସେମାନଙ୍କ ଗ୍ରାମକୁ ଗାଡ଼ି‌ରେ ପଠାଇବା ବ୍ୟବସ୍ଥା କରିଥିଲା। ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଏକ ଶଗଡ଼ ଟାଣୁଥିବା ବଳଦର ଯୋଡ଼ି ରୂପେ ବଳଦ ଭୁମିକାରେ ଦେଖିବାକୁ ମିଳିଛି। ଶଗଡ଼ରେ ଉକ୍ତ ପ୍ରବାସୀ ଶ୍ରମିକଙ୍କ ଭାଇ ଓ ଭାଉଜ ବସିଥିବା ବେଳେ ସେ ନିଜେ ଚାଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର