‘ଜେଲରେ ଥିବା ବେଳେ ସ୍ତ୍ରୀ ଚାଲିଗଲା, ରାଜନୀତି ପାଇଁ ବାପା ଓ ମା’ଙ୍କୁ ବି ହରାଇଲି’: ନୱାଜ ସରିଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ଗତଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସରିଫଙ୍କୁ ତାଙ୍କ ଦଳର କର୍ମକର୍ତ୍ତାମାନେ ଧୁମଧାମରେ ସ୍ବାଗତ କରିଥି‌ଲେ।

ନୱାଜ ସରିଫ ୨୦୧୯ରେ ପାକିସ୍ତାନ ଛାଡ଼ି ଦେଇଥ‌ିଲେ। ଆଉ ବ୍ରିଟେନରେ ଯାଇ ବସବାସ କରୁଥିଲେ। ସେଠାରେ ସେ ଗତ ୪ବର୍ଷ ହେବ ରହି ଆସୁଥିଲେ। ନିକଟରେ କୋର୍ଟ ସରିଫଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ସେ ଗତକାଲି ପାକିସ୍ତାନ ଫେରି ଆସି ପାକିସ୍ତାନ ମୀନାର-ଏ-ପାକିସ୍ତାନରେ ବିଶାଲ ଜନସଭାରେ ଯୋଗ ଦେଇ ନିଜକୁ ପାକିସ୍ତାନ ଜନତାଙ୍କ ସହିତ ଯୋଡ଼ିଥିଲେ।

ଏହି ଅବସରରେ ନୱାଜ ଲୋକେ ଭୋକିଲା ରହିବା ଗରିବ ରହିବା ସହିତ ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏଥିସହିତ ସେ ଦେଶକୁ ବିକାଶ ରାସ୍ତାକୁ ନେଇ ଆସିବା ପାଇଁ ସଂକଳ୍ପ ବି ନେଇଥି‌ଲେ।

ଏ ସଭାରେ ନୱାଜ ଭାବବି‌ହ୍ବୋଳ ହୋଇ କହିଥିଲେ, ‘ଏହି ରାଜନୀତି ପାଇଁ ମୁଁ ମୋର ମା’, ବାପା ଓ ସ୍ତ୍ରୀକୁ ହରାଇ ଦେଇଛି। ଜେଲରେ ଥିବା ବେଳେ ସ୍ତ୍ରୀର ମୃତ୍ୟୁ ଖବର ଶୁଣିବା ପରେ ମୋ ଉପରେ କ’ଣ ବିତିଥିବ ତାହାକୁ ମୁଁ ବଖାଣି ପାରିବି ନାହିଁ। ଆପଣମାନଙ୍କ ଏତେ ମାତ୍ରାରେ ଭଲ ପାଇବା ଦେଖି ସେ ଦୁଃଖକୁ କିଛି ମାତ୍ରାରେ ଭୁଲି ଯାଇଛି। କିନ୍ତୁ ଜୀବନରେ ଏମିତି କିଛି ଘଟଣାଥାଏ ଯାହାକୁ ଜୀବନ ଥିବା ଯାଏଁ ଭୁଲି ହୁଏନା। ସେ ସବୁ ଦୁଃଖକୁ ମନରେ ଜାବୁଡ଼ି ଧରି ଆଗକୁ ବଢ଼ିବାକୁ ହେବ।’

ସମ୍ବନ୍ଧିତ ଖବର