ମଙ୍ଗୁଳି-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ: ସରୁନି କାମ, ଗଡ଼କରୀ ଫେଲ୍‌

୪ ଥର ବଦଳିଲାଣି ଡେଡ୍‌ଲାଇନ୍‌, ହାତୀ ଚଲାପଥ ପାଇଁ ଡକାଗଲା ଟେଣ୍ଡର୍‌

ସମ୍ବଲପୁର/ଅନୁଗୁଳ: ସରୁନି ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ। ଥରକୁ ଥର ବଢ଼ୁଛି ଅବଧି। ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସାରିବାକୁ ଏହା ଭିତରେ ୪ ଥର ଡେଡ୍‌ଲାଇନ୍‌ ବଦଳିଥିଲେ ମଧ୍ୟ କାମ ସରିବାର ନାଁ ଧରୁନି। ଏହାକୁ ସଂପୂର୍ଣ୍ଣ କରିବାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ବିଫଳ ହୋଇଛନ୍ତି। ଶ୍ରୀ ଗଡ଼କରୀ ବାରମ୍ବାର ନିଜ ପ୍ରତିଶ୍ରୁତି ରଖିପାରି ନାହାନ୍ତି। ହାତୀ ଚଲାପଥ ନିର୍ମାଣ ପାଇଁ ଏବେ ଟେଣ୍ଡର ଡକାଯାଇଛି। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ଯୋଡ଼ୁଥିବା ଏହି ରାଜପଥରେ ଯାତାୟାତ ଯନ୍ତ୍ରଣା ନିକଟରେ ନିକଟରେ ସରିବାର ଆଶା ଦିଶୁ ନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ରାଜପଥ ଏବେ ମରଣଯନ୍ତା ପାଲଟିଛି।

୨୦୧୬ ମସିହାରେ ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନ୍ଏଚ୍ଏଆଇ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳରୁ କଟକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡାକିଥିବା ବେଳେ ଉଭୟ ଠିକା କାମ ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ମିଳିଥିଲା। ସମ୍ବଲପୁର-ଅନୁଗୁଳ ୧୫୧ କିଲୋମିଟର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଠିକା ନେଇ ଗାୟତ୍ରୀ ପ୍ରୋଜେକ୍ଟସ୍ କାର୍ଯ୍ୟାଦେଶର ୬ ବର୍ଷ ପରେ ବି କାମ ସଂପୂର୍ଣ୍ଣ କରିପାରିନଥିଲା। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଅବଧି ସରିବା ପରେ ୩ ଥର ସଂପ୍ରସାରଣ କରାଯାଇଥିଲେହେଁ କାମ ସାରିପାରିନଥିଲା। ସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୯ ମାସ ରାସ୍ତା ନିର୍ମାଣ କାମ ବନ୍ଦ ପଡ଼ିଥିଲା।

ଜନ ଅସନ୍ତୋଷ ପରେ ଗତ ୨୫ ଏପ୍ରିଲ ୨୦୨୨ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଗାୟତ୍ରୀ ପ୍ରୋଜେକ୍ଟସ୍କୁ ୧୫ ଦିନ ମଧ୍ୟରେ କାମ ଆରମ୍ଭକୁ ନୋଟିସ୍ ଦେଇଥିଲା। ପରିଶେଷରେ ଅପାରଗ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହି ପ୍ରକଳ୍ପରୁ ବିଦା ହୋଇଥିଲା। ସରକାରୀ ପ୍ରକ୍ରିୟା ପରେ ଜୁଲାଇ ୨୦୨୨ରୁ ବିଧିବଦ୍ଧ ଭାବେ ନିର୍ମାଣ ଦାୟିତ୍ବ ନେଇଥିବା ଅଗ୍ରୱାଲ ଇନ୍‌ଫ୍ରାକୋର୍ ସଂସ୍ଥା ଇତିମଧ୍ୟରେ ଏକ ବର୍ଷ ପୂରା କରିଛି। ତଥାପି, ନିର୍ମାଣ କାମରେ ଆଶାନୁରୂପ ଅଗ୍ରଗତି ପରିଲକ୍ଷିତ ନାହିଁ। ଅବଶ୍ୟ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଅବଧି ରହିଛି। ରାଜପଥ ହାତୀ କରିଡ଼ର ମଧ୍ୟ ଦେଇ ଅତିକ୍ରମ କରୁଛି। ରାତ୍ରି ସମୟରେ ରାଜପଥ ପାର ହୋଇ ହାତୀମାନଙ୍କ ଯାତାୟାତ ଲାଗି ରହିଥାଏ। ଏଥିପାଇଁ ୧୨ଟି ହାତୀ ଚଲାପଥ(ଅଣ୍ଡର ପାସ୍) ନିର୍ମାଣ ଆବଶ୍ୟକ ଥିବା ବେ‌ଳେ ଏବେ ଟେଣ୍ଡର ଆହ୍ବାନ କରାଯାଇଛି। ଏହାର ନିର୍ମାଣରେ ବିଳମ୍ବ ହୋଇଛି।

ରାସ୍ତାର ଅବସ୍ଥା ସମ୍ପର୍କରେ ଆମ ସମ୍ବଲପୁର ପ୍ରତିନିଧିଙ୍କ ସୂଚନା ହେଲା, ଯୁଯୁମରା ବ୍ଲକ୍‌ ଅନ୍ତର୍ଗତ ଝାଙ୍କରପାଲି ପେଟ୍ରୋଲ ପମ୍ପରୁ ମାରୱାଡ଼ିବନ୍ଧ ପାହାଡ଼ି ଢ଼ାବା ଏବଂ ଜାମଟାଲରୁ ହାତୀବାରୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି। ସେହିପରି ରେଢ଼ାଖୋଲଠାରୁ ସମ୍ବଲପୁର ପଟକୁ ବର୍ଷିକିଆ ଛକ ପର୍ଯ୍ୟନ୍ତ ୬ କିମି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ବି ତଦ୍ରୁପ। ଚାରମାଳ ଖଲଖଲିଆ ପୋଲଠାରୁ ଫରେଷ୍ଟ ପାର୍କ, ଅମ୍ବଦର ଠାରୁ ମୋଚିବାହାଳ ଏବଂ ଭୀମଭୋଇ କଲେଜ ଠାରୁ ଦଳଖମନ ବଡ଼କଟିଣ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଖରାପ ରହିଛି। ରେଢ଼ାଖୋଲରୁ ଅନୁଗୁଳ ମଧ୍ୟରେ ବି ମଝିରେ ମଝିରେ ଏଭଳି ଅବସ୍ଥା ରହିଛି। ଏ ସଂକ୍ରାନ୍ତରେ ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କୁ ପଚାରିବାରୁ ସେ କହିଲେ, ୮୦ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇଥିବାରୁ ଡିସେମ୍ବର ୨୦୨୩ ସୁଦ୍ଧା ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହୋଇଯିବ। ହାତୀ ଚଲାପଥ(ଅଣ୍ଡରପାସ୍) ‌ଡକା ହୋଇଥିବା ଟେଣ୍ଡର ଆସନ୍ତା ୫ ତାରିଖରେ ଖୋଲାଯିବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ କରାଯିବ ବୋଲି ଶ୍ରୀ ରାଓ କହିଛନ୍ତି।

ଆମ ଅନୁଗୁଳ ପ୍ରତିନିଧିଙ୍କ ସୂଚନା ହେଲା, ସଂସଦରେ ମନ୍ତ୍ରୀ କହୁଛନ୍ତି ଆସନ୍ତା ମାର୍ଚ୍ଚ ସୁଦ୍ଧା ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଶେଷ ହେବ। ଏପ‌ଟେ ଦଳୀୟ ନେତାଙ୍କୁ ଏହି ଡିସେମ୍ବର ସୁଦ୍ଧା କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଲୋକଙ୍କ ଦ୍ବନ୍ଦ୍ବ ବଢ଼ାଉଥିଲାବେଳେ ରାସ୍ତା ଅବସ୍ଥା ଦେଖିଲେ ଏତେ ଶୀଘ୍ର କାମ ସରିବା ପରି ଲାଗୁନି। କଟକ ଜିଲ୍ଲାର ମଙ୍ଗୁଳିରୁ ଢେଙ୍କାନାଳ ଓ ଅନୁଗୁଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରାଯାଉଛି। ଅନୁଗୁଳ-ସମ୍ବଲପୁର ରାସ୍ତା କାମ ୨୦୧୭ରେ ଆରମ୍ଭ ହୋଇଥିଲାବେଳେ ଅନୁଗୁଳ-କଟକ ରାସ୍ତା ୨୦୧୮ ଆରମ୍ଭରୁ ହୋଇଥିଲା। ଏହି କାମ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏ ଭିତରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଦୁଇଗୁଣ ବଢ଼ିଥିଲାବେଳେ କାମ କିନ୍ତୁ ଅଧପନ୍ତରିଆ ଭାବେ ପଡ଼ି ରହିଛି। ଢେଙ୍କାନାଳରୁ ଅନୁଗୁଳ ପର୍ଯ୍ୟନ୍ତ ୬୨ କିମି ରାସ୍ତା ପ୍ରଶସ୍ତୀକରଣ କାମ ପ୍ରାୟ ୭୦ ପ୍ରତିଶତ ସରିଥିଲାବେଳେ ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ୮୦ ପ୍ରତିଶତ ସରିଥିବା ସରକାର କହୁଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଏହି ରାସ୍ତାରେ ହେବାକୁ ଥିବା ଫ୍ଲାଏଓଭରଗୁଡ଼ିକ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇନି। ଏପଟେ ଅନୁଗୁଳ ସହର ପାଇଁ ନିର୍ମାଣ କରାଯାଉଥିବା ବାଇପାସ୍‌ ଅଧପନ୍ତରିଆ ଭାବେ ପଡ଼ିଛି। କେବଳ ଏହି ବାଇପାସ୍‌ରେ ୫ଟି ଓଭର୍‌ବ୍ରିଜ୍‌ ରହିଥିଲାବେଳେ ଦୁଇଟି ବଡ଼ ପୋଲ ନିର୍ମାଣ କରାଯାଉଛି। ଏହା ବାଦ୍‌ କଲଭର୍ଟ ଓ ଅଣ୍ଡରପାସ୍‌ ରହିଛି। ଏବେ ବର୍ଷା ପାଇଁ କାମ ବାଧାପ୍ରାପ୍ତ ହୋଇଥିବାରୁ ଏତେ ଶୀଘ୍ର ବାଇପାସ୍‌ରେ ଗାଡ଼ି ଗଡ଼ିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ଗତ ବିଧାନସଭା ସମୟ‌ରେ ରାଜ୍ୟ ସରକାର କହିଥିଲେ ଯେ, ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏପରିକି କଟକ-ଢେଙ୍କାନାଳ ରାସ୍ତା ଜୁନ୍‌ ସୁଦ୍ଧା ସରିବ ବୋଲି ବିଧାନସଭାରେ ମନ୍ତ୍ରୀ କହିଥିଲେ। ଗତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। କିନ୍ତୁ ପ୍ରଶସ୍ତୀକରଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏହି ଡେଡ୍‌ଲାଇନ୍‌ ଭିତରେ କାମ ସରିବା ନେଇ ସନ୍ଦେହ ବଢ଼ିଛି। ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ ପ୍ରକଳ୍ପ ଆରମ୍ଭରୁ ଅବ୍ୟବସ୍ଥା ଭିତରେ ଗତି କରୁଥିଲାବେଳେ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଓ ଠିକଦାରଙ୍କ ଅବହେଳା ପାଇଁ କାମ ବିଳମ୍ବିତ ହୋଇଥିଲା। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହି ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅନେକ ଦୁର୍ଘଟଣାର କାରଣ ହୋଇଛି। ଅକାଳରେ ଶହ ଶହ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଏହାକୁ ସରକାର ଗୁରୁତର ସହ ନେଉ ନଥିବାରୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର