ଏବେ ମନ୍ତବ୍ୟ ରଖିବା ସମୟ ଆସିନାହିଁ: ଗୋପାଳକୃଷ୍ଣ ଗାନ୍ଧି

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବ‌ାଚନ ପୂର୍ବରୁ ଆଜି ଦିଲ୍ଲୀରେ ବିରୋଧୀ ଦଳ ନେତାମାନଙ୍କର ଏକ ବୈଠକ ହୋଇଥିଲା। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୧୭ଟି ବିରୋଧୀ ଦଳର ନେତା ଯୋଗ ଦେଇଥିଲେ। ମମତା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଫାରୁକ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମ ସୁପାରିସ କରିଥିଲେ। ତେବେ ‌ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମକୁ ନେଇ ବେଶି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନାନୁଯାୟୀ, କିଛି ବିରୋଧୀ ଦଳ ନେତା ଗାନ୍ଧିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ଏବଂ ସେମାନଙ୍କ ଅନୁରୋଧ ରଖିବାପାଇଁ ଅନୁରୋଧ କରିଛନ୍ତି। ତେବେ ଗୋପାଳକୃଷ୍ଣଙ୍କୁ ଏନେଇ ପ୍ରଶ୍ନ କରାଯିବା ବେଳେ ସେ କହିଛନ୍ତି, ଏବେ କିଛି ମନ୍ତବ୍ୟ ରଖିବା ପାଇଁ ସମୟ ଆସିନାହିଁ। ଏବେ କିଛି କହିବା ଅତି ତରବରିଆ ହେବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗୋପାଳକୃଷ୍ଣ ଗାନ୍ଧି ଉକ୍ତ ବିଷୟରେ ମତ ରଖିବା ପାଇଁ କିଛି ଦିନ ସମୟ ମାଗିଛନ୍ତି। ଗୋପାଳକୃଷ୍ଣ ଗାନ୍ଧି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ୭୭ ବର୍ଷୀୟ ଗାନ୍ଧି ୨୦୧୭ରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଏବଂ ଭେଙ୍କୟା ନାଇଡୁଙ୍କଠାରୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର