୧୨ ରାଜ୍ୟସଭା ସଦସ୍ୟ ନିଲମ୍ବନ ହେତୁ ସଂସଦ ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ନିଲମ୍ବନ ହୋଇଥିବା ୧୨ଜଣ ରାଜ୍ୟସଭା ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ଆଜି ବିରୋଧୀ ଦଳର ନେତାମାନେ ସଂସଦ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ପ୍ରତିବାଦରେ ଭାଗ ନେଇଥିବା ସାଂସଦମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସର ସୌଗତ ରାୟ ଏବଂ ସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ।

ଖଡ଼ଗେ କହିଛନ୍ତି, ରାଜ୍ୟସଭାର ୧୨ଜଣ ବି‌ରୋଧୀ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଲାଗି ଆମେ ଦାବି କରୁଛୁ। ଭବିଷ୍ୟତର କାର୍ଯ୍ୟପନ୍ଥା ନିରୂପଣ ପାଇଁ ଆମେ ବୈଠକ ଡକିବୁ।

ମୌସୁମୀ ଅଧିବେଶନର ଶେଷ ଦିନ ଗଣ୍ଡଗୋଳ କରିଥିବାରୁ କେତେକ ବିରୋଧୀ ଦଳର ୧୨ଜଣ ସଦସ୍ୟଙ୍କୁ ସଂସଦରେ ଚାଲିଥିବା ଶୀତ ଅଧିବେଶନର ବାକି ଦିନମାନଙ୍କରେ ଯୋଗ ଦେବାରୁ ବଞ୍ଚିତ କରାଯାଇଛି।

Image Courtesy of India TV News

ମୌସୁମୀ ଅଧିବେଶନର ଶେଷ ଦିବସରେ ହିଂସାକାଣ୍ଡ ରଚିଥିବା ଦର୍ଶାଇ ଉକ୍ତ ସଦସ୍ୟମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋମବାର ଦିନ ସଂସଦୀୟ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କୁ ଅଭିଯୋଗ ପତ୍ର ଲେଖିବା ପରେ ନିଲମ୍ବନ ଆଦେଶ ଦିଆଯାଇଥିଲା।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସ ପାର୍ଟିର ୬ଜଣ ହେଉଛନ୍ତି, ଫୁଲୋ ଦେବୀ ନେତମ୍‌, ଛାୟା ବର୍ମା, ଆର୍‌. ବୋରା, ରାଜାମଣି ପଟେଲ୍‌, ସୟେଦ ନାସିର ହୁସେନ୍‌ ଏବଂ ଅଖିଳେଶ ପ୍ରସାଦ ସିଂହ। ସେହିପରି, ତୃଣମୂଳ କଂଗ୍ରେସର ଦୋଳ ସେନ ଏବଂ ଶାନ୍ତି ଛେତ୍ରୀ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନୀଲ ଦେଶାଇ ଓ ସିପିଏମ୍‌ର ଏଲାମରମ୍‌ କରୀମ୍‌ ଏବଂ ସିପିଆଇର ବିନୟ ବିଶ୍ବମ୍‌ ହେଉଛନ୍ତି ନିଲମ୍ବିତ ହୋଇଥିବା ବାକି ୬ଜଣ ସାଂସଦ।

ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ଦୋଳ ସେନ ଏବଂ ଶାନ୍ତି ଛେତ୍ରୀ ପାର୍ଲାମେଣ୍ଟ୍‌ ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ତେଣେ, ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମଲତବୀ ରଖିଛନ୍ତି। ଲୋକସଭାରେ କାର୍ଯ୍ୟ ଚାଲିଥିବା ବେ‌ଳେ ମଧ୍ୟ ବିରୋଧୀ ଦଳର ନେତାମାନେ ସ୍ଲୋଗାନ୍‌ ଦେଉଛନ୍ତି।

ସମ୍ବନ୍ଧିତ ଖବର