ବାହାଘର ଭୋଜିରେ ‘ଗ୍ୟାଙ୍ଗ୍‌ଷ୍ଟର୍‌’ଙ୍କୁ ଗୁଳି ମାରି ହତ୍ୟା

ଅଟୱା: କାନଡାର ଭାଙ୍କୋଭର୍‌ ସହରରେ ଆୟୋଜିତ ବିବାହ ଭୋଜିରେ ଜଣେ ୨୮ ବର୍ଷିୟ ପଞ୍ଜାବୀ ସମ୍ପ୍ରଦାୟର ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଅଜ୍ଞାତ ଲୋକମାନେ ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।

ଏହା ଅପରାଧିକ ଗ୍ୟାଙ୍ଗ୍‌ ସଂଘର୍ଷଜନିତ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ନିହତ ‘ଗ୍ୟାଙ୍ଗ୍‌ଷ୍ଟର୍‌’ଜଣକ କାନଡା ପୁଲିସର ଦୁର୍ଦ୍ଦାନ୍ତ ଅପରାଧି ତାଲିକାଭୁକ୍ତ ହୋଇଥିଲେ।

ସ୍ଥାନୀୟ ଖବରକାଗଜ ‘ଭାଙ୍କୋଭର୍‌ ସନ୍‌’ ରିପୋର୍ଟ ଅନୁସାରେ, ଅମରପ୍ରୀତ୍‌ ଓରଫ୍ ‘ଚୁକି’ ସମ୍‌ରା ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ‘ଫ୍ରେସର୍‌ଭିୟୁ ବାଙ୍କ୍‌ୱେଟ୍‌ ହଲ୍‌’ର ‘ଡ୍ୟାନ୍‌ସ୍‌ ଫ୍ଲୋର୍‌’ରେ ଥିବା ବେଳେ ଶନିବାର ରାତି ୧.୩୦ରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

Image Courtesy of ANI

ଏହି ବିବାହ ଭୋଜିକୁ ସମ୍‌ରା ଏବଂ ତାଙ୍କ ଗ୍ୟାଙ୍ଗ୍‌ଷ୍ଟର୍‌ ଭାଇ ରବିନ୍ଦର୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦୁଇ ଗ୍ୟାଙ୍ଗ୍‌ଷ୍ଟର୍‌ ‘ୟୁଏନ୍‌ ଗ୍ରୁପ୍‌’ ସହିତ ଜଡ଼ିତ ଥିଲେ।

ଅତିଥିମାନଙ୍କ ମଧ୍ୟରୁ କେତେଜଣ ସାମ୍ବାଦିକମାନଙ୍କୁ କହିଛନ୍ତି, କେତେ ଜଣ ଅଜ୍ଞାତ ବ୍ୟକ୍ତି ହଲ୍‌ ଭିତରକୁ ଆସି ମ୍ୟୁଜିକ୍‌ ବନ୍ଦ କରିବାକୁ ‘ଡିଜେ’ଙ୍କୁ କହିଲେ। ସେତେ‌ବେଳେ ଘଟଣାସ୍ଥଳରେ ୬୦ଜଣ ଅତିଥି ଥିଲେ।

Image Courtesy of NDTV

ଘଟଣାର ତଦନ୍ତ ଚାଲିଥିବା କଥା ଭାଙ୍କୋଭର୍‌ ପୁଲିସ ଜାରି କରିଥିବା ବିବୃତିରେ କହିଛି। ପୁଲିସ କହିଛି, ଫ୍ରେସର୍‌ ଷ୍ଟ୍ରିଟ୍‌ ଏବଂ ଇଷ୍ଟ୍‌‌ ମେରାଇନ୍‌ ଡ୍ରାଇଭ୍‌ ନିକଟ ଦକ୍ଷିଣ ଭାଙ୍କୋଭର୍‌ ବାଙ୍କ୍‌ୱେଟ୍‌ ହଲ୍‌ ବାହାରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମରାଯାଇଛି ବୋଲି ପୁଲିସକୁ ଏକାଧିକ ବ୍ୟକ୍ତି ଫୋନ୍‌ କରି ସୂଚନା ଦେଇଥିଲେ। ‘ପାରାମେଡିକ୍‌ସ୍‌’ମାନେ ପହଞ୍ଚବା ପୂର୍ବରୁ ପାଟ୍ରୋଲ୍‌ ଅଫିସର୍‌ମାନେ ଗୁଳି ଚୋଟରେ ଆହତ ବ୍ୟକ୍ତିଙ୍କର ‘ସିପିଆର୍‌’ କରିଥିଲେ। କିନ୍ତୁ, ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।

ସମ୍ବନ୍ଧିତ ଖବର