‘ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇ ସାରିବା ପରେ ହିଁ ରାଜନୀତିକୁ ଆସିବି’: ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଜାମାତା ତଥା ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିକୁ ଆସିବାକୁ ଇଚ୍ଛୁକ ବୋଲି ଗତ ରବିବାର ଦିନ ସଙ୍କେତ ଦେବା ପରେ ଏହାକୁ କେନ୍ଦ୍ର କରି ଆଜି ଦେଶରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ରବର୍ଟ ଭଦ୍ରାଙ୍କୁ ଆଜି ଯେତେବେଳେ ଗଣମାଧ୍ୟମ ପକ୍ଷରୁ ତାଙ୍କର ରାଜନୀତିରେ ଯୋଗଦାନକୁ କେନ୍ଦ୍ରକରି ପ୍ରଶ୍ନ କରା ଯାଇଥିଲା, ସେ କହିଥିଲେ, ମୋ ବିରୋଧରେ ସରକାର ଯେଉଁସବୁ ଅଯଥା ଓ ମିଥ୍ୟା ଦୁର୍ନୀତିର ଆରୋପ ଲଗାଇଛନ୍ତି, ସେସବୁରେ ମୁଁ ମୋ ନିର୍ଦ୍ଦୋଷତାର ପ୍ରମାଣ ଦେଇ ସାରିବା ପରେ ହିଁ ରାଜନୀତିକୁ ଆସିବି।

ଏବେ ସରକାର କେତେକ ଅଯଥା ଓ ଅପ୍ରାସଙ୍ଗିକ କଥା ଉପରେ ଅହେତୁକ ଗୁରୁତ୍ୱ ଆରୋପ କରି ଅସଲ ପ୍ରସଙ୍ଗ ଉପରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଚାହୁଁଛନ୍ତି। ତେବେ, ମୁଁ ସକ୍ରିୟ ରାଜନୀତିକୁ ସେତେବେଳେ ଆସିବି, ଯେତେବେଳେ ଲୋକଙ୍କ ବିଶ୍ୱାସ ମୋ ଉପରେ ଆସିବ ଓ ମୁଁ କିଛି ପରିବର୍ତ୍ତନ କରିପାରିବି ବୋଲି ଲୋକେ ଭାବିବେ। ରାଜନୀତିକୁ ଆସିବା ପାଇଁ ମୁଁ ତରତର ହେଉନାହିଁ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ରବର୍ଟ ଭଦ୍ରା ନିଜର ଏକ ଲମ୍ବା ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଥିଲେ ଯେ ସରକାର ଦେଶର ପ୍ରକୃତ ସମସ୍ୟା ଓ ନିଜର ବିଫଳତା ଉପରୁ ଲୋକଙ୍କ ଦୃଷ୍ଟି ହଟାଇବା ଲକ୍ଷ୍ୟରେ ମୋ ଉପରେ ମିଥ୍ୟା ଦୁର୍ନୀତିର ଆରୋପ ଲଦିଛନ୍ତି। ମୁଁ ଜାଣିଛି ମୁଁ ନିର୍ଦ୍ଦୋଷ ଓ ମୋ ନିର୍ଦ୍ଦୋଷତାର ପ୍ରମାଣ ମଧ୍ୟ ମୁଁ ଯଥା ସମୟରେ ଦେବି। ଆଉ ମୁଁ ମୋ ନିର୍ଦ୍ଦୋଷତାକୁ ପ୍ରମାଣ କରିସାରିବା ପରେ ମୁଁ ଲୋକଙ୍କ ତଥା ଦେଶର ସେବା କରିବା ପାଇଁ ଏକ ବୃହତ୍ତର କାର୍ଯ୍ୟକ୍ରମ ଗ୍ରହଣ କରିବି।

ରବର୍ଟ ଭଦ୍ରା ରାଜନୀତିକୁ ଆସିବାର ସଙ୍କେତ ଦେବା ପରେ ଉତ୍ତରପ୍ରଦେଶର ଯୁବ କଂଗ୍ରେସ କର୍ମୀଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖିବା ପାଇଁ ମିଳିଛି। ସେମାନେ ରବର୍ଟ ଭଦ୍ରାଙ୍କୁ ସ୍ୱାଗତ ଜଣାଇବା ସହ ଉତ୍ତରପ୍ରଦେଶର ମୋରଦାବାଦ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ, ଭାରତୀୟ ଜନତା ପାର୍ଟି (ବିଜେପି) ରବର୍ଟ ଭଦ୍ରାଙ୍କୁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଉଲ୍ଲେଖ କରି କଟାକ୍ଷ କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ କରିଛି।

ସମ୍ବନ୍ଧିତ ଖବର