ସନ୍ଦେଶଖାଲି ମାମଲାରେ ମାନବାଧିକାର ଆୟୋଗଙ୍କ ରିପୋର୍ଟ, ବ୍ୟାପକ ସ୍ତରରେ ହେଉଥିଲା ଯୌନ ନିର୍ଯାତନା

କୋଲକାତା: ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ ସନ୍ଦେଶଖାଲିରେ ବହୁ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଓ ମାନବାଧିକାର ଉଲ୍ଲଙ୍ଘନ କରାଯାଇଥିବା କଥା ସ୍ପଷ୍ଟ କରାଯାଇଛି ।

ଏନଏଚଆରସି ଏହାର ରିପୋର୍ଟରେ କହିଛି ଯେ ମହିଳାଙ୍କ ସହିତ ଶିଶୁ ଏବଂ ବୟସ୍କଙ୍କ ସୁରକ୍ଷା ବିପଦରେ ପଡ଼ିଛି। ନିର୍ଯାତନା ଓ ଯୌନ ନିର୍ଯାତନା ଭଳି ଅପରାଧ ବ୍ୟାପକ ହେଉଥିବାରୁ ମହିଳାମାନେ ନିଜ ଘର ଓ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏପରିକି ଶିଶୁ ଓ ବୃଦ୍ଧମାନଙ୍କ ସୁରକ୍ଷା ବିପନ୍ନ ହୋଇଥିଲା ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିରେ ଏକ ଗୋଷ୍ଠୀ ନିରୀହ ଓ ଗରିବ ମହିଳାଙ୍କୁ ନିର୍ଯାତନା ଓ ଯୌନ ନିର୍ଯାତନା ଦେଉଥିବା ନେଇ ଏନ୍ଏଚ୍ଆର୍ସିକୁ ୨୧ ଫେବ୍ରୁଆରିରେ ଏକ ଖବର ମିଳିଥିଲା। ଏହା ପଛରେ ଏକ ସ୍ଥାନୀୟ ରାଜନୈତିକ ଗ୍ୟାଙ୍ଗ  ରହିଥିବାରୁ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଗ୍ରାମବାସୀ ଗତ କିଛି ଦିନ ହେବ ଆନ୍ଦୋଳନ ଆରମ୍ଭ କରିଥିବା ଏଥିରେ ଦର୍ଶାଯାଇଥିଲା । କିନ୍ତୁ ଏଭଳି ଗୁଣ୍ଡା ଓ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଘଟୁଥିବା ଭୟାନକ ଅପରାଧର ଅପରାଧୀ ତତ୍ତ୍ୱଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କୌଣସି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ମିଳିବା ପରେ ଆୟୋଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଓ ପୁଲିସ ମହାନିର୍ଦ୍ଦେଶକ ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଥିଲେ ।

ସମ୍ବନ୍ଧିତ ଖବର