ରାଜଭବନକୁ ରାଜାଭବନ କରନାହିଁ: ସଞ୍ଜୟ ସିଂ

ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଭିତରେ ଆଜି ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି | ସଞ୍ଜୟ ସିଂ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ମୋଦୀ ଜୀ ମଣିପୁର ଏବଂ ମେୱାତକୁ ଦେଖିବା ଉଚିତ୍। ପଞ୍ଜାବକୁ ବଦନାମ କରନ୍ତୁ ନାହିଁ | ଆପଣ ପଞ୍ଜାବରେ ରାଷ୍ଟ୍ରପତି ଶାସନର ଧମକ ଦିଅନ୍ତୁନାହିଁ ରାଜଭବନକୁ ରାଜାଭବନ କରନ୍ତୁ ନାହିଁ | ଦେଶରେ ଗଣତନ୍ତ୍ର ଚାଲିଛି ରାଜତନ୍ତ୍ର ଚାଲିନାହିଁ | ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଏବଂ ବୟାନବାଜି ମଧ୍ୟରେ ଆପ ସାଂସଦ ଏହି ଟ୍ୱିଟ କରିଛନ୍ତି | ବାସ୍ତବରେ ପଞ୍ଜାବର ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ | ସରକାର ଲଗାତାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛନ୍ତି ଏବଂ ଏ ବାବଦରେ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ପତ୍ରର ଜବାବ ଦେଉନଥିବାରୁ ଅସ୍ବାଭାବିକ ସ୍ଥିତି ଉପୁଜିଛି ବୋଲି ରାଜ୍ୟପାଳ କହିଥିଲେ ।

ଏହାର ଜବାବରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ କହିଥିଲେ ଯେ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଅତୁଳନୀୟ ବଳିଦାନ ଦେଇ ଦେଶକୁ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ କରିଥିବା ଶାନ୍ତିପ୍ରେମୀ ଏବଂ ପରିଶ୍ରମୀ ପଞ୍ଜାବବାସୀଙ୍କ ଭାବନାକୁ ରାଜ୍ୟପାଳ ଗଭୀର ଆଘାତ ଦେଇଛନ୍ତି | ରାଷ୍ଟ୍ରପତିଙ୍କ ଶାସନ ଯୋଗୁଁ ପଞ୍ଜାବ ସର୍ବାଧିକ କ୍ଷତି ସହିଛି। ଏପର୍ଯ୍ୟନ୍ତ ରାଜ୍ୟପାଳ ୧୬ଟି ଚିଠି ଲେଖିଛନ୍ତି ଏବଂ ଆମେ ୯ଟି ଚିଠିର ଉତ୍ତର ଦେଇଛୁ। ମୁଁ ରାଜ୍ୟପାଳଙ୍କୁ ପଚାରିବାକୁ ଚାହେଁ ଯେ ଗତ ଦେଢ଼ ବର୍ଷ ଧରି ଆପଣଙ୍କ ପାଖରେ ମୋଟ ୬ଟି ବିଲ୍ ପଡ଼ିରହିଛି | ଆପଣ ଏପର୍ଯ୍ୟନ୍ତ ସେଗୁଡିକୁ ଦସ୍ତଖତ କରିନାହାଁନ୍ତି। ଆମେ ଏକ ନିର୍ବାଚିତ ସରକାର, ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ମୁଁ ରାଜ୍ୟପାଳଙ୍କୁ କହିବାକୁ ଚାହୁଁଛି, ରାଜସ୍ଥାନକୁ ଯାଆନ୍ତୁ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତୁ |

ସମ୍ବନ୍ଧିତ ଖବର