ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୧୦ ବାଟାଲିୟନ୍‌ ଫୋର୍ସ ପଠାଇବାକୁ ଓଡ଼ିଶାକୁ ଚିଠି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସଶସ୍ତ୍ର ପୋଲିସ କିମ୍ବା ଆଇଆର୍‌ବିର ୧୦ ବାଟାଲିୟନ୍ ଫୋର୍ସ ତୁରନ୍ତ ପଠାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ପତ୍ର ଲେଖିଛନ୍ତି। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସହ ୧୨ ଟି ରାଜ୍ୟକୁ ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ପାଇଁ ୧୧୫ ବାଟାଲିୟନ ଫୋର୍ସ ପଠାଇବାକୁ କୁହାଯାଇଛି।

ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ କମିସନ ଶାନ୍ତି ଶୃଙ୍ଖଳା ଓ ନିରାପଦରେ ଭୋଟ ଗ୍ରହଣ ଉଦ୍ଦେଶ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ବାହିନୀ ପଠାଇବା ପାଇଁ ପତ୍ର ଲେଖିଥିଲେ। ପୂର୍ବରୁ କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା‌ଯୋଗ୍ୟ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆସନ୍ତାମାସ ୮ ତାରିଖରେ ଅନୁଷ୍ଠିତ ହେବ ଓ ଜୁଲାଇ ୧୧ରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର