୫୪ତମ ସର୍ବଭାରତୀୟ ଦନ୍ତଚିକିତ୍ସକ ସଂଘ ସମ୍ମିଳନୀ, ୨୦୨୫ ସୁଦ୍ଧା ସମସ୍ତଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ସମ୍ପ୍ରତି ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ‘୫-ଟି’ ଓ ମୋ’ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଅ‌ାଯାଇଛି ଓ ଏହି ଯୋଜନାରେ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଉଦ୍ୟମ ଜାରି ରହିଛି। ୨୦୧୫ ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଏହାକୁ ଏକ ନିଶ୍ଚିତ ଲକ୍ଷ୍ୟ ଭାବେ ନିଆଯାଇଛି। ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ଦନ୍ତ ଚିକିତ୍ସକ ସଂଘର ୫୪ତମ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟଅତିଥି ଭାବେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ। ତେଣୁ ସେମାନଙ୍କୁ ସମସ୍ତ ଜନହିତକର ଯୋଜନାରେ ସାମିଲ୍ କରାଇବା ହେଉଛି ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ। ବିଶେଷକରି ସ୍ବାସ୍ଥ୍ୟସେବା ବହୁତ ଜରୁରି। ସେଥିପାଇଁ ୫-ଟି ଓ ମୋ ସରକାର ଯୋଜନାରେ ରାଜ୍ୟର ସ୍ବାସ୍ଥ୍ୟସେବା ଉନ୍ନତିକୁ ଏକ ଏଜେଣ୍ଡା ଭାବେ ଗ୍ରହଣ କରାଯାଇଛି। ଗ୍ରାମାଞ୍ଚଳରେ ଲୋକେ ଅଧିକ ତମାଖୁ ସେବନ କରୁଥିବାରୁ ଦନ୍ତ ରୋଗ ଏକ ସାଧାରଣ ଘଟଣା। ରାଜ୍ୟରେ ମୋଟ୍ ୪୩୭ଟି ଦନ୍ତରୋଗ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ମଡେଲ୍ ଡେଣ୍ଟାଲ ଭ୍ୟାନ୍ ବ୍ୟବସ୍ଥା କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଏହା ଦ୍ବାରା ଗ୍ରାମାଞ୍ଚଳରେ ଲୋକଙ୍କୁ ନିକଟ‌‌ରେ ଦନ୍ତରୋଗର ଚିକିତ୍ସ‌ା ସେବା ଯୋଗାଇ ହେବ ବୋଲି ସେ କହିଥିଲେ। ଏହି ଅବସରରେ ସଂଘର ସଭାପତି ଡ. ପ୍ରଦୀପ ଜୈନ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଡ. ଶ୍ରୀଦେବୀ ପଦ୍ମନାଭନ୍‌ ବାର୍ଷିକ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧିତ ଖବର