ମହିଳା ଓ ଶିଶୁଙ୍କୁ ନେଇ ରାଜନୀତି କରନି: ନବୀନ

ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଆଇନର ଆଶ୍ରୟ ନିଅ
ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣାଧୀନ ରହିଛି
ବିନା ଭୟ ଓ ପ୍ରତିବଦ୍ଧତାର ସହ ପୁଲିସ କାମ କରୁ
ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ବର : ବେବିନାଠାରୁ ସ୍ମିତାରାଣୀ ଯାଏ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗର ଆଜି ବିଧାନସଭାରେ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୃହ ଓ ସାଧାରଣ ପ୍ରଶାସନ ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ସିଧା କହିଛନ୍ତି; ଦୁଷ୍କର୍ମ, ହତ୍ୟା, ଓ ମହିଳାଙ୍କ ମୃତ୍ୟୁ ହେଉଛି ଅତ୍ୟନ୍ତ ଦୁଃଖଦ ଘଟଣା। ଏସବୁର ରାଜନୀତିକରଣ ଦ୍ୱାରା ଯନ୍ତ୍ରଣା ବହୁଗୁଣିତ ହୋଇଥାଏ ଓ ସାଧାରଣ ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଇଥାଏ। ବିଶେଷକରି ଯୁବବର୍ଗଙ୍କ ନିକଟକୁ। ଯଦି କେହି ତଦନ୍ତରେ ସନ୍ତୁଷ୍ଟ ହେଉନାହାନ୍ତି ସେମାନେ ଆଇନର ଆଶ୍ରୟ ନେଇପାରିବେ। କେବଳ ସେତିକି ନୁହେଁ, ବିରୋଧୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମାନବିକତା ଦୃଷ୍ଟିକୋଣରୁ ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ସେମାନେ ରାଜନୀତି ନକରନ୍ତୁ। ଗୃହକୁ ଆଶ୍ବାସନା ଦେଇଛନ୍ତି, ମହିଳାଙ୍କ ବିରୁଦ୍ଧରେ ହିଂସା ରଖିବାକୁ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଉଛି। ସେମାନଙ୍କୁ ନ୍ୟାୟ ଦେବା ସୁନିଶ୍ଚିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯାଉନି। ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ୱରିତ୍ ଓ ପେସାଦାର ତଦନ୍ତ ଯୋଗୁ ୪ଟି ସମ୍ବେଦନଶୀଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୋଧରେ ମୃତ୍ୟୁଦଣ୍ଡ ସମ୍ଭବପର ହୋଇପାରିଛି। ରେଡ୍ ଫ୍ଲାଗ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୨୦୧୯ ମସିହାରେ ୪୧.୪୮ ପ୍ରତିଶତକୁ ବୃଦ୍ଧି ପାଇଛି।

ଭିନ୍ନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। କହିଥିଲେ, ସେ ଆଜି ଚିରାଚରିତ ଢଙ୍ଗରେ ତାଙ୍କର ବକ୍ତବ୍ୟ ଦେବେ ନାହିଁ। ଦୁଇଟି ପ୍ରସଙ୍ଗରେ ନିଜର ମତ ରଖିବାକୁ ଚାହାନ୍ତି। ଭୁଲିଯାଆନ୍ତୁ ଯେ ସେ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ବିଜୁ ଜନତା ଦଳର ସଭାପତି। ବରଂ ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ ଆଜି ସେ କହିବାକୁ ଚାହାଁନ୍ତି ଯେ, ଯେକୌଣସି ମନୁଷ୍ୟକୃତ ଅଘଟଣ ବିଶେଷକରି ମହିଳାଙ୍କ ପ୍ରତି ହିଂସାକୁ ନେଇ ରାଜନୀତି ହେଉଛି ଅମାନବିକତା। ଏଭଳି ରାଜନୀତିରେ କୌଣସି ସୁଫଳ ମିଳିନଥାଏ। ଆମେମାନେ ଏକ ପରିପକ୍ୱ ଗଣତନ୍ତ୍ର ରାଷ୍ଟ୍ରରେ ଅଛନ୍ତି। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଏଣୁ ବିଧାନସଭା ଭିତରେ ଓ ବାହାରେ ଉଚ୍ଚ ମାନର ରାଜନୀତି ପ୍ରଦର୍ଶନ କରିବା ଉଚିତ୍।

ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ସୁଶାସନର ହଲମାର୍କ ହେଉଛି ନାଗରିକଙ୍କ ସନ୍ତୁଷ୍ଟି। ଶାସନ ବ୍ୟବସ୍ଥାରେ ଫାଇଭ-ଟି ଚାର୍ଟର ଅନ୍ତର୍ଗତ ‘ମୋ ସରକାର’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ଏକ କୌଶଳ। ‘ମୋ ସରକାର’ ଜରିଆରେ ପୁଲିସ୍ ଥାନାକୁ ଆସୁଥିବା ପ୍ରତ୍ୟେକ ଆବେଦନକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯିବା ସହିତ ଥାନାରେ ସେମାନଙ୍କ ରହିଥିବା ଅଭିଜ୍ଞତା ସଂପର୍କରେ ଫିଡ୍‌ବ୍ୟାକ୍ ନିଆଯାଉଛି। ବ୍ୟକ୍ତିଗତ ଭାବେ ସେ ୩ଶହରୁ ଅଧିକ କଲ୍ କରିଥିବା ବେଳେ ଏ ପର୍ଯ୍ୟନ୍ତ ୨୫ଶହରୁ ଅଧିକ କଲ୍‌ କରାଯାଇସାରିଲାଣି। ଏହି ବ୍ୟବସ୍ଥା ଯୋଗୁଁ ଥାନାରେ ସେବା ପ୍ରଦାନରେ ବ୍ୟାପକ ପରିବର୍ତ୍ତନ ଆସିଛି। ଥାନାରେ ମାମଲା ପଞ୍ଜୀକରଣ ସଂଖ୍ୟା ମଧ୍ୟ ବଢିବ।ସେ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେବାକୁ ଚାହାନ୍ତି ଯେ ଭୟ ଓ ବିନା ଦ୍ୱେଷରେ ପ୍ରତିବଦ୍ଧତା ସହ ସେମାନେ ନିଜର କାର୍ଯ୍ୟ ସମ୍ପାଦନ କରିବା ଦରକାର। ଗୃହରେ ସେ ଏକଥା ବି ରେକର୍ଡ କରାଇବାକୁ ଚାହାନ୍ତି ଯେ ପରିସଂଖ୍ୟାନ ନୁହେଁ, ତାଙ୍କ ସରକାରରେ ଲୋକମାନେ ଗୁରୁତ୍ବପୂର୍ଣ୍ଣ। ତେଣୁ ପୁଲିସ କର୍ମଚାରୀମାନେ ପରିସଂଖ୍ୟାନକୁ ଅଧିକ ଗୁରୁତ୍ବ ନ ଦେଇ ନିଜର କର୍ତବ୍ୟକୁ କିଭଳି ଠିକଣା ଢଙ୍ଗରେ ନିର୍ବାହ କରିବେ ତାହାକୁ ଧ୍ୟାନ ଦେବା ଦରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ମାଓବାଦୀ କାର୍ଯ୍ୟକଳାପରେ ଯଥେଷ୍ଟ ସୁଧାର ଆସିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଆସନ୍ତାବର୍ଷ ଅଗଷ୍ଟ ୧୫ ଅର୍ଥାତ୍ ସ୍ବାଧୀନତା ଦିବସ ସୁଦ୍ଧା ଜନସାଧାରଣ ନିଜର କୌଣସି କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟକୁ ନ ଆସି ଅନ୍ୟ ସ୍ଥାନରେ କିଭଳି ଏହି ସୁବିଧା ପାଇପାରିବେ। ସରକାରୀ ଅଫିସକୁ ବାରମ୍ବାର ନଦୌଡ଼ି ଲୋକମାନଙ୍କୁ ଅନଲାଇନ ଓ ସେମାନଙ୍କ ଦ୍ୱାରଦେଶରେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେବା ଦିଗରେ ତାଙ୍କ ସରକାର ଏବେ କାର୍ଯ୍ୟ କରୁଛି। ଫାଇଭ-ଟି ଚାର୍ଟରର ସବୁଠୁ ବଡ଼ ଲକ୍ଷ୍ୟ। ରାଜ୍ୟ ସେହିଭଳି ସରକାରଙ୍କ ଆହୁରି ଉଦ୍ଦେଶ୍ୟ ରହିଛି, ସମସ୍ତ କାର୍ଯ୍ୟ ପାଇଁ ପାରିଶ୍ରମିକକୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବାକୁ ଲକ୍ଷ୍ୟ କରାଯାଇଛି। ଏହାଦ୍ୱାରା ଲୋକମାନେ ବିଶେଷକରି ଗରିବ ଶ୍ରମିକମାନେ ଅଧିକ ଲାଭବାନ ହେବେ। ୫ଟି ପ୍ରଶାସନକୁ ସଶକ୍ତି ଓଡ଼ିଶା ଗଠନ ଦିଗରେ ଆଉ ଏକ ସ୍ତରକୁ ନେବାରେ ସାହାଯ୍ୟ କରିବ। ଏଥିପାଇଁ ବିଧାନସଭାର ସମସ୍ତ ସଦସ୍ୟଙ୍କ ସହଯୋଗ ରହିବା ଦରକାର।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଆଜି କଂଗ୍ରେସ ବିଧାୟକ ଦଳ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ, ବିଧାୟକମାନେ ପଚାରିଥିବା କୌଣସି ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି। ଏଣୁ କଂଗ୍ରେସ କକ୍ଷତ୍ୟାଗ କରୁଛି।

ସମ୍ବନ୍ଧିତ ଖବର