୬୦୦ ଛାତ୍ରଛାତ୍ରୀଙ୍କୁ ୟୁସିମାସ୍‌ ପୁରସ୍କାର

ଚନ୍ଦ୍ରଶେଖରପୁର: ଅଲ୍‌ ଓଡ଼ିଶା ୟୁସିମାସ୍‌ ଆବାକସ୍‌ ଆଣ୍ଡ ମେଣ୍ଟାଲ୍‌ ଆରିଥମେଟିକ୍‌ ପ୍ରତିଯୋଗିତାର ୧୩ତମ ପୁରସ୍କାର ପ୍ରଦାନ ଉତ୍ସବ ଆଜି କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରଣଜୀ କ୍ରିକେଟ୍‌ ଟିମ୍‌ ପୂର୍ବତନ ଅଧିନାୟକ ତଥା ରଣଜୀ ଟିମ୍‌ର କୋଚ୍‌ ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟଅତିଥି, ବାଳକାଟିସ୍ଥିତ ପ୍ରତାପ ଶାସନ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ପ୍ରଧାନ ଓ ବୁର୍ଲା ମେଡିକାଲ କଲେଜର ପ୍ରଫେସର୍‌ ମୁକେଶ କର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ଜୁନ୍‌ ୩୦ରେ କିଟ୍‌ ବିଶ୍ବବିଦ୍ୟାଳୟର କିଟ୍‌ ସ୍ପେଟସ୍‌ ଓ ଫିଟ୍‌ନେସ୍‌ ସେଣ୍ଟରରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଓଡ଼ିଶାର ୬୫ଟି ଶିକ୍ଷାନୁଷ୍ଠାନର ୧୧୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୪ରୁ ୧୩ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ୨୭ଟି ବ୍ୟାଚ୍‌ ଓ ୮ଟି ସ୍ତରରେ ବିଭକ୍ତ କରାଯାଇଥିଲା। ମ୍ୟାଜିକାଲ ଟୁଲ ବ୍ୟବହାର କରି ଛାତ୍ରଛାତ୍ରୀ ୮ ମିନିଟ୍‌ରେ ୨୦୦ ପ୍ରଶ୍ନର ସମାଧାନ କରିଥିଲେ। ଆଜି ୨୭ଟି ଗ୍ରୁପ୍‌ର ବି‌ଜେତା ଓ ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପିଲାଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦% ପିଲାଙ୍କୁ ପୁରସ୍କାର ଦିଆଯାଇଥିଲା। ମୋଟ୍‌ ଭାବେ ୬୦୦ ପୁରସ୍କାର ଗ୍ରହଣ କରିଥିଲେ। ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ବି ପୁରସ୍କୃତ କରାଯାଇଥିଲା। ୟୁସିମାସ୍‌ ନୂଆପଲ୍ଲୀ ସେଣ୍ଟରର ଅଶୁଂମାନ ସ୍ବାଇଁଙ୍କୁ ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌, ୟୁସିମାସ୍‌ ଜଟଣୀ ସେଣ୍ଟର୍‌ର ଅରିତା ଘୋଷଙ୍କୁ ଲିସିଲିଂ ଚାମ୍ପିଅନ୍‌(ବରିଷ୍ଠ), ୟୁସିମାସ୍‌ ପୋଖରୀପୁଟ ସେଣ୍ଟର୍‌ର ପ୍ରତ୍ୟୁଷ କୁମାର ଦାସଙ୍କୁ ଲିସିଲିଂ ଚାମ୍ପିଅନ୍‌(କନିଷ୍ଠ) ପୁରସ୍କାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର