ନୃତ୍ୟଧାମର ୬ଷ୍ଠ ସର୍ବଭାରତୀୟ ନୃତ୍ୟପର୍ବ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟପର୍ବ। ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ। ପ୍ରଥମ ଦିନରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ସଂଗୀତା ଗୋସାଇଁ ଓ ଗୁରୁ ଗଜେନ୍ଦ୍ର ପଣ୍ଡା ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତିଙ୍କୁ ନୃତ୍ୟଧାମ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକଙ୍କ କୁନ୍ତୀ ଅଭିନୟ ଆଜି ଦର୍ଶକଙ୍କୁ ବିମୋହିତ କରିଥିଲା। ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ। ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଏହାପରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଓଡ଼ିଶୀ ନୃତ୍ୟ କରାଯାଇଥିଲା। ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ କୁମ୍‌କୁମ୍ ମହାନ୍ତି। ସେହିଭଳି ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ ନିଦ୍ଦେର୍ଶନାରେ ମହାଲକ୍ଷ୍ମୀ ଅଣୁକମ୍‌ ତ୍ରିଧାରା ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ। ରାଗ ମାଳିକା ଓ ତାଳ ମାଳିକାରେ ଆଧାରିତ ଏହି ନୃତ୍ୟର ସଂଗୀତ ଗୁରୁ ଥିଲେ ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଗ କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ। ଏହାପରେ ସମ୍ପ୍ରଦା ଅନୁଷ୍ଠାନର ନୃତ୍ୟଶିଳ୍ପୀ ଝୁଲଣ କୁଞ୍ଜ ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଦେଇଥିଲେ ଗୁରୁ ସୁହାଗ ନଳିନୀ ଦାସ। ସଂଗୀତ ଗୁରୁ ପ୍ରଫେସର ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶରତ ଦାସ।

ସମ୍ବନ୍ଧିତ ଖବର