ଦୁର୍ଘଟଣା ମନେପକାଏ ଟ୍ରାଫିକ୍ ବ୍ୟବସ୍ଥା କଥା

ବ୍ଲାକସ୍ପଟ୍‌ ପଳାସୁଣି ଛକ

ଭୁବନେଶ୍ବର: ରାଜଧାନୀରେ ପଳାସୁଣି ଛକ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା। ପ୍ରତ୍ୟେକ ଦିନ ଏଠାରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ପୁଲିସଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ସାଂସଦଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। କେବଳ ଅଘଟଣ ଘଟିଲେ କିଛି ଦିନ ହୋ-ହଲ୍ଲା ହୁଏ ଏବଂ ଟ୍ରାଫିକ୍‌ ପୁଲିସ ବ୍ୟବସ୍ଥା କରାଯାଏ। କିନ୍ତୁ ୧୫/୨୦ ଦିନ ପରେ ଆଉ କାହାର ଦେଖାମିଳେନାହିଁ। ପୁଣି ପୂର୍ବାବସ୍ଥା ଫେରିଆସେ। ଗାଡ଼ି ମଟର ମନ ଇଛା ଯାତାୟାତ କରେ। ଜାତୀୟ ରାଜପଥ ଉପରେ ବସ୍ ରଖି ଯାତ୍ରୀ ଉଠାଇବା କାମ ଚାଲେ। ଭାରୀଯାନଗୁଡ଼ିକର ବେଗ ନିୟନ୍ତ୍ରଣ କରିବାକୁ କେହି ନଥା’ନ୍ତି। ଲୋକେ ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌ ହୋଇଥା’ନ୍ତି। ସତେ ‌ଯେମିତି ପୁଣି କେତେବେଳେ ଏକ ବଡ଼ ଦୁର୍ଘଟଣା ଘଟିବ, ତାହାକୁ ସମେସ୍ତ ଅପେକ୍ଷା କରିଥା’ନ୍ତି।

ବଡ଼ କଥା ହେଉଛି ଦିନ ବେଳା ଅପେକ୍ଷା ରାତିରେ ପଳାସୁଣି ଛକ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। ବସ୍ ବେ’ରେ ରହି କୌଣସି ବସ୍ ଯାତ୍ରୀ ଉଠାଉନାହାନ୍ତି। ଏକାବେଳକେ ୪ରୁ ୫ ବସ୍ ଜାତୀୟ ରାଜପଥ ଉପରେ ରହି ଯାତ୍ରୀ ଉଠାଉଛନ୍ତି। ଫଳରେ ରସୁଲଗଡ଼ ପଟୁ ଆସୁଥିବା ଗାଡ଼ିମଟରଗୁଡ଼ିକୁ ଜାତୀୟ ରାଜପଥର ମଝିକୁ ଯାଇ ହଂସପାଳ ଆଡ଼େ ଯିବାକୁ ପଡ଼ୁଛି। ଏହି ସମୟରେ ଯଦି କୌଣସି ଭାରୀଯାନ, କାର୍‌ କିମ୍ବା ବାଇକ୍‌ ବାଣୀବିହାର ପଟୁ ଫ୍ଲାଏଓଭର ଦେଇ ଆସୁଥାଏ ଏବଂ ଚାଳକଜଣକ ସାମାନ୍ୟ ଅନ୍ୟମନସ୍କ ହୋଇଯିବେ, ଦୁର୍ଘଟଣା ନିଶ୍ଚିତ।

ଗତ ଏପ୍ରିଲ୍‌ ୪ ତାରିଖରେ ଏହିଭଳି ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଦୁଇଟି କାର୍‌କୁ ଚାପି ଦେବା ସହିତ ଅନ୍ୟ ଏକ ଭାରୀଯାନକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ କାର୍‌ଚାଳକଙ୍କ ମୃତ୍ୟୁ ହୋଇଥିଲା। ଭାରୀଯାନଚାଳକ କେବିନ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାପିହୋଇ ରହିଥିଲେ। ଚାଳକଙ୍କୁ କେବିନ ଭିତରୁ କାଢ଼ିବା ପାଇଁ ପାଖାପାଖି ୪ ଘଣ୍ଟା ସମୟ ଲାଗିଥିଲା। ମେଡିକାଲରେ ତାଙ୍କର ଗୋଡ଼ କଟାହୋଇଥିଲା। ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା କମିସନରେଟ ପୁଲିସ। ଟ୍ରାଫିକ୍ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା।

ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ଜଣେ ଟ୍ରାଫିକ୍ ପୁଲିସ ଅଫିସର ଓ ଦୁଇ ଜଣ କନଷ୍ଟେବଳ ସେଠାରେ ଡ୍ୟୁଟି କରିଥିଲେ। ଗୋଟିଏ ଅସ୍ଥାୟୀ ବସ୍ ବେ’ ମଧ୍ୟ କରାଗଲା। ଟ୍ରାଫିକ୍ ପୁଲିସ ଜଗି ରହି ବସ୍‌ଗୁଡ଼ିକୁ ଧାଡ଼ିକରି ଛାଡ଼ୁଥିଲେ। ମାତ୍ର ୨୦/୨୫ ଦିନ ଟ୍ରାଫିକ୍‌ ପୁଲିସ ସେହି ଛକରେ ଡ୍ୟୁଟି କଲେ। ଏବେ ଆଉ ସେଠାରେ ଟ୍ରାଫିକ ପୁଲିସର ଦେଖାମିଳୁନି। ତେଣୁ ପୂର୍ବରୁ ଅବସ୍ଥା ଯାହା ଥିଲା, ଏବେ ତାହା ହିଁ ରହିଛି। ସେହିଭଳି ପଳାସୁଣୀ ଛକ ପରେ ଆଉ ଏକ ବିପଦପୂର୍ଣ୍ଣ ଛକ ହେଉଛି ସତ୍ୟବିହାର ଛକ। ସତ୍ୟବିହାର ଛକରେ ସଂଧ୍ୟା ବେଳେ ଅସ୍ଥାୟୀ ଖାଉ ବଜାର ସୃଷ୍ଟି ହେଉଛି। ଜାତୀୟ ରାଜପଥ ଉପରେ ବଡ଼ବଡ଼ ଗାଡ଼ି ଲଗାଇ ଫାଷ୍ଟଫୁଡ୍‌ ଠାରୁ ଆରମ୍ଭ କରି ଅନେକ ପ୍ରକାର ଖାଇବା ଜିନିଷ ବିକ୍ରି କରାଯାଉଛି। ଫଳରେ ଲୋକମାନେ ଜାତୀୟ ରାଜପଥ ଉପରେ କାର ଓ ବାଇକ୍ ରଖୁଛନ୍ତି। ଏଥିପାଇଁ ସେଠାରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଲାଣି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ଏସମ୍ପର୍କରେ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍ ପୁଲିସ ବ୍ୟସ୍ତ ରହୁଛନ୍ତି। ସେଥିପାଇଁ ଉକ୍ତ ଛକକୁ ସବୁ ଦିନ ଟ୍ରାଫିକ୍ ପୁଲିସ ଡ୍ୟୁଟି ବଣ୍ଟା ହୋଇପାରୁନାହିଁ। କିନ୍ତୁ ଶୁକ୍ରବାର, ଶନିବାର, ରବିବାର ଓ ଛୁଟି ପୂର୍ବ ଦିନଗୁଡ଼ିକରେ ଟ୍ରାଫିକ୍ ପୁଲିସ ଦିଆଯାଉଛି। ବସ୍ ବେ’ରେ ବସ୍ ଯାଉନଥିବାରୁ ଏଭଳି ଦୁର୍ଘଟଣା ସବୁ ଘଟୁଛି। ବିଭିନ୍ନ ସମୟରେ ବସ୍‌ରୁ ଜରିମାନା ସଂଗ୍ରହ କରାଗଲାଣି। କିନ୍ତୁ ବସ୍ ଚାଳକମାନେ ସଚେତନ ହେଉନାହାନ୍ତି। ସତ୍ୟବିହାର ଛକ ସମ୍ପର୍କରେ ଏସିପି ଶ୍ରୀ ପଣ୍ଡା କହିଲେ ଏହି ଛକ କଟକ ଟ୍ରାଫିକ୍ ପୁଲିସ ଅଧୀନରେ ଆସୁଛି। କଟକ ଟ୍ରାଫିକ୍ ପୁଲିସ ଏହାର ତଦାରଖ କରିବା କଥା।

ସମ୍ବନ୍ଧିତ ଖବର