ବିଚ୍‌ ରାସ୍ତାରେ ଅଟୋ ଜାଳିଦେଲେ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହଂସପାଳ-ଜୟଦେବ ମୁଖ୍ୟ ରାସ୍ତାର ନୂଆସାହି ଗ୍ରାମ ନିକଟ ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତାରେ ଦୁର୍ବୃତ୍ତମାନେ ଗତ ରାତିରେ ଏକ ଡାଲା ଅଟୋ ଜାଳି ଦେଇଛନ୍ତି। ବିଚ୍‌ ରାସ୍ତା‌ରେ ଅଧ ରାତିରେ ଗାଡ଼ିଟି ଜଳୁଥିବା ଦେଖି ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ସକ୍ଷମ ହୋଇନଥିଲେ। ଏ ସଂପର୍କରେ ଲୋକେ ବାଲିପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ହେଁ ଦମକଳ ଗାଡ଼ି ଆସିନଥିଲା ବୋଲି ଅଭିଯୋଗ ହୋଇଛି। ଫଳରେ ଗାଡ଼ିଟି ପୂରା ଜଳି ଯାଇଥିଲା। ଖବର ପାଇ ଉଭୟ ବାଲିଅନ୍ତା ଓ ବାଲିପାଟଣା ପୁଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଲିଅନ୍ତା ପୁଲିସ ଗାଡ଼ିର ବିଭିନ୍ନ ପୋଡ଼ା ଅଂଶକୁ ଜବତ କରି ଘଟଣା ସଂପର୍କରେ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି। ଗାଡ଼ିରେ ଲେଖାଥିବା ମାଲିକଙ୍କ ମୋବାଇଲକୁ କଲ କରି ଘଟଣା ସଂପର୍କରେ ଜାଣିବାକୁ ପୁଲିସ ଚେଷ୍ଟା କରୁଛି। ତେବେ ପୋଡ଼ି ଯାଇଥିବା ଅଟୋଟି ଏକ ଚୋରି ଗାଡ଼ି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ବୃତ୍ତମାନେ ଏପରି କରିଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି। ଖୁବ୍‌ଶୀଘ୍ର ସତ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର