ପୁଣି ଲୁ‌ଟେରା ହରିଣ ଗ୍ୟାଙ୍ଗ୍‌ ଗିରଫ: ଚୋରା ମୋବାଇଲ୍‌ ବିକିବା ବେଳେ ଧରା ପଡ଼ିଗଲେ

ଖଣ୍ଡଗିରି: ସ୍ଥାନୀୟ ଅଞ୍ଚଳରେ ଲୁଟ୍‌ପାଟ୍‌ ଓ ଛିନ୍‌ତାଇ କରି ଆତଙ୍କ ଖେଳାଉଥିବା ହରିଣ ଗ୍ୟାଙ୍ଗ୍‌ ପୁଣି ଥରେ ଗିରଫ ହୋଇଛି। ସୋମବାର ଖଣ୍ଡଗିରି ଥାନା ପୁଲିସ ଏହି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ବରମୁଣ୍ଡା ଭଗବତ ସାହିରେ ରହୁଥିବା ଗଞ୍ଜାମ ଗାଙ୍ଗପୁର ଥାନା ମଙ୍ଗଳପୁରର ପ୍ରତାପ ନାଏକ ଓରଫ୍ ହରିଣ(୨୦), ଡେଲ୍‌ଟା ଛକ ରଙ୍ଗିଣି ବସ୍ତିରେ ରହୁଥିବା ଗଞ୍ଜାମ ଡେଙ୍ଗାପଦରର ଅମିତ ଗୌଡ଼ ଓରଫ୍ ବାପୁନି(୨୨) ଓ ବରମୁଣ୍ଡା ଢ଼ିପସାହିରେ ରହୁଥିବା ସମୀର ପ୍ରଧାନ(୨୦)। ହରିଣ ଏମାନଙ୍କ ଗ୍ୟାଙ୍ଗ୍‌ ଲିଡର୍‌ ଭାବେ ଜଣାଶୁଣା। ଚୋରା ମୋବାଇଲ୍ ବିକିବାକୁ ଉଦ୍ୟମ କରୁଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୭ଟି ଚୋରା ମୋବାଇଲ୍‌ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଡୁମୁଡୁମା ବଜାରସ୍ଥିତ ଏକ ମୋବାଇଲ୍ ଦୋକାନ ନିକଟରେ ଏମାନେ ଅପେକ୍ଷା କରିଥିଲେ। ଉକ୍ତ ଦୋକାନଟି ଚୋରା ମୋବାଇଲ କିଣାବିକାର ପେଣ୍ଠ ବୋଲି ପୁଲିସ ପାଖରେ ଖବର ଥିଲା। ଲୁଟେରାମାନେ ପାଖରେ ରଖିଥିବା ୭ଟି ଚୋରା ମୋବାଇଲ୍ ବିକିବା ପାଇଁ  ଗ୍ରାହକ ଯୋଗାଡ଼ କରିଥିଲେ। ତେବେ ସମର୍ଥିତ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ପିଛା କରି ପୂର୍ବରୁ ଜାଲ ବିଛାଇ ବସିଥିଲା। ଖଣ୍ଡଗିରି ଥାନାର ଜଣେ ଅଧିକାରୀ ସାଦା ପୋଷାକରେ ଗ୍ରାହକ ସାଜି ସେଠାରେ ପହଞ୍ଚି ସେମାନଙ୍କ ସହ ମୂଲଚାଲ କରିଥିଲେ। ସେ ଥାନାର ନୂଆ ଅଫିସର୍‌ ହୋଇଥିବାରୁ ହରିଣ ଗ୍ୟାଙ୍ଗ୍‌ ତାଙ୍କୁ ଚିହ୍ନି ପାରିନଥିଲେ। ଏମାନେ ୧୬ ନମ୍ବର ଜାତୀୟ ରାଜପଥ ସହ ନୂଆପଲ୍ଲୀ, କ୍ୟାପିଟାଲ, ଏୟାର୍ ଫିଲ୍ଡ ଓ ସହିଦନଗର ଥାନା ଆଦି ଅଞ୍ଚଳରେ ଲୁଟ୍‌ପାଟ୍‌ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ହରିଣ ଛିନ୍‌ତାଇ କଲା ବେଳେ ସାମାନ୍ୟ ବିଳମ୍ବ ହେଲେ ସେ ପ୍ରାଣାନ୍ତକ ଆକ୍ରମଣ କରିଥାଏ।

ସମ୍ବନ୍ଧିତ ଖବର