କନ୍ଦାଉଛି ସ୍ବୟଂଚାଳିତ ସିଗ୍‌ନାଲ୍‌ ସେନ୍ସର: ଛକ ଅତିକ୍ରମ ପାଇଁ ନାକେଦମ, କୁଆଡେ ଗଲା ଟାଇମର୍‌?

ଭୁବନେଶ୍ବର: ସ୍ମାର୍ଟସିଟି ସହ ତାଳ ଦେଇ ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ ବି ସ୍ମାର୍ଟ କରାଗଲା। ରାଜଧାନୀବାସୀଙ୍କୁ ଟ୍ରାଫିକ୍‌ ସମସ୍ୟାରୁ ମୁକୁଳାଇବା ପାଇଁ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ଓ କଣ୍ଟ୍ରୋଲରୁମ୍‌ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଇଛି। ଆଶାଥିଲା ଲୋକ ଟ୍ରାଫିକ୍‌ ଛକଗୁଡ଼ିକରେ ଅଧିକ ସମୟ ଅଟକିବେ ନାହିଁ କି ଗା‌ଡ଼ିର ଲମ୍ବା ଲାଇନ୍‌ ରହିବ ନାହିଁ। ମାନୁଆଲ୍‌ ଟ୍ରାଫିକ୍‌କୁ ହଟାଇ ସ୍ବୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଲାଗୁ କରାଗଲା।

ସହରର ପାଖାପାଖି ୫୧ଟି ଟ୍ରାଫିକ୍‌ ପୋଷ୍ଟରେ ଏହି ବ୍ୟବସ୍ଥା ଲାଗୁ କରାଗଲା। କୁହା ଯାଇଥିଲା, ଏହାଦ୍ବାରା ଯେଉଁ ଟ୍ରାଫିକ୍‌ରେ ଅଧିକ ଭିଡଥିବ ବା ଜାମ୍‌ ଥିବ, ସ୍ବୟଂଚାଳିତ ସେନ୍ସର ସ୍ଥିତି ଅନୁଧ୍ୟାନକରି ପ୍ରଥମେ ସେହି ଟ୍ରାଫିକକୁ ଛାଡ଼ିବ। ଏଭଳି ବ୍ୟବସ୍ଥା ତ ଶୁଣିବାକୁ ବେଶ୍‌ ଭଲ ଲାଗିଥିଲା। ବାସ୍ତବରେ ଫଳପ୍ରଦ ହେବ ବୋଲି ଆଶା ମଧ୍ୟ କରାଯାଇଥିଲା। କିନ୍ତୁ ଉଦ୍‌ବେଗର ବିଷୟ ଯେ ସ୍ବୟଂଚାଳିତ ସେନ୍ସର ଟ୍ରାଫିକ୍‌କୁ ସହଜ କରିବା ବଦଳରେ ଅଧିକ ଜଟିଳ କରିଛି। ଗୋଟିଏ ଗୋଟିଏ ଟ୍ରାଫିକ୍ ଛକ ଅତିକ୍ରମ କରିବାକୁ ଲୋକ ନାକେଦମ ହେଉଛନ୍ତି। ନା ଅଧିକ ଭିଡ ଥିବା ଟ୍ରାଫିକ୍‌ ସହଜରେ ଫାଙ୍କା ହେଉଛି, ନା କମ୍‌ ଭିଡ଼ଥିବା ଟ୍ରାଫିକ୍‌ରେ ଲୋକ ଆଗକୁ ଯାଇପା‌ରୁଛନ୍ତି। ଗୋଟିଏ ଟ୍ରାଫିକ୍‌କୁ ଅତିକ୍ରମ କରିବା ପାଇଁ ତିନି ତିନି ଥର ସିଗ୍‌ନାଲ୍‌କୁ ଅପେକ୍ଷା କରିବାକୁ ପଡ଼ୁଛି। ରାଜଧାନୀର ଏହି ସ୍ବୟଂଚାଳିତ ଟ୍ରାଫିକ୍‌ ବାସ୍ତବରେ ଲୋକଙ୍କୁ ନୟାନ୍ତ କଲାଣି।

ଖାଲି ସେତିକି ନୁହେଁ, ସ୍ବୟଂଚାଳିତ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ କେତେବେଳେ ସବୁଜ ରଙ୍ଗ ଲାଇଟ୍‌ ଜଳିବ, କେତେବେଳେ ନାଲି ରଙ୍ଗ ଲାଇଟ୍‌ ଜଳିବ ବା କେତେବେ‌ଳେ କମଳା ରଙ୍ଗ ଲାଇଟ୍‌ ଜଳିବ, ସେକଥା ଟ୍ରାଫିକ୍‌ରେ ଅଟକିଥିବା ଲୋକମାନେ ଜାଣିପାରୁ ନାହାନ୍ତି। କମଳା ରଙ୍ଗ ସିଗ୍‌ନାଲ୍‌ ଲାଇଟ୍‌ ଥିବା ବେଳେ ନାଲି ରଙ୍ଗ ସିଗ୍‌ନାଲ ଆସିବା ପୂର୍ବରୁ ଲୋକ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଟ୍ରାଫିକ୍‌କୁ ପାର୍‌ ହୋଇ ଯିବାକୁ ଚେଷ୍ଟା କରୁଛନ୍ତି। ଫଳରେ ବିପରୀତ ଦିଗରୁ ଆସୁଥିବା ଗାଡ଼ିରେ ପିଟି ହେଉଛନ୍ତି। ସେହିଭଳି କମଳା ରଙ୍ଗ ଲାଇଟ୍‌ ବନ୍ଦ ହୋଇ ନାଲିବତି ଜଳିବା ବେଳେ ଲୋକମାନେ ଅଚାନକ ବ୍ରେକ୍‌ ଲଗାଇବାରୁ ପଛରୁ ଆସୁଥିବା ଗାଡ଼ି ଆଗ ଗାଡ଼ିରେ ବାଡ଼େଇ ‌ହୋଇଯାଉଛନ୍ତି। ପୁଣି କେହି କେହି ଜେବ୍ରା କ୍ରସିଂ ଅତିକ୍ରମ କରିଯାଉଛନ୍ତି। ତେଣୁ ଏହି ସବୁ ସମସ୍ୟାରୁ ବର୍ତ୍ତିବା ପାଇଁ ଲୁଇସ୍‌ ରୋଡ୍‌, ଜନପଥ, ସଚିବାଳୟ ମାର୍ଗ, ବିଦ୍ୟୁତ୍‌ ମାର୍ଗ, ଏକାମ୍ର ମାର୍ଗ ଏବଂ ଷ୍ଟାଣ୍ଡାଲୋନ୍‌ ଭଳି ୬ଟି କରିଡର୍‌ରେ ଥିବା ପ୍ରାୟ ୫୧ରୁ ଊର୍ଧ୍ବ ଛକରେ ଟାଇମର୍‌ ଲଗାଇବାକୁ ଟ୍ରାଫିକ୍‌ ପୁଲିସ ଯୋଜନା କରିଥିଲା। ଟାଇମ୍‌ର ଲାଗିବା ପରେ ଆଉ ଏଭଳି ସମସ୍ୟା ଦେଖାଦେବ ନାହିଁ।

କେତେବେଳେ ଟ୍ରାଫିକ୍‌ ଛାଡ଼ିବ ସମୟ ଦେଖି ଲୋକ ସହଜରେ ଜାଣିପାରିବେ। ତେଣୁ ୫୧ଟି ଟ୍ରାଫିକ୍‌ ପୋଷ୍ଟରେ ଟାଇମର୍‌ ଲଗାଇବାକୁ ବିଏସ୍‌ସିଏଲ୍‌କୁ ପ୍ରସ୍ତାବ ଦିଆଗଲା। ଆଶ୍ଚର୍ଯ୍ୟର କଥା ନାଲ୍‌କୋ ଛକ ଭଳି ହାତଗଣତି ଗୋଟିଏ କି ଦୁଇଟି ଛକରେ ହିଁ ଟାଇମର୍‌ ଲଗା ଯାଇଥିଲା। କୁହାଗଲା ଏହାକୁ ପରୀକ୍ଷାମୂଳକ ଲଗା ଯାଇଛି। କିନ୍ତୁ ସେ ପରୀକ୍ଷା ଏଯାଏ ଶେଷ ହୋଇନାହିଁ। ଏହି କେତୋଟି ଛକରେ ଟାଇମର୍‌ ଲଗାବାର ମାସ ମାସ ବିତିଗଲା ପରେ ବି ଆଉ ଅନ୍ୟ କୌଣସି ଛକରେ ଟାଇମର୍‌ ଲଗାଗଲା ନାହିଁ। କାହିଁକି ଲାଗିଲାନି ଟାଇମର, କେଉଁଠି ରହିଲା ସମସ୍ୟା ତା’କୁ ନେଇ ଏବେ ମାଳ ମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର